Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇ ପୋଲିସରେ ୬.୪୧କୋଟି ଟଙ୍କାର ବେତନ ଦୁର୍ନୀତି ମାମଲା! ୧୦ ଜଣ ଭୂତ କର୍ମଚାରୀଙ୍କ ନାମରେ ଖାତାକୁ ଯାଉଥିଲା ଦରମା

ମୁମ୍ବାଇ: ମୁମ୍ବାଇ ପୋଲିସ ବିଭାଗରେ ପ୍ରାୟ ୬.୪୧ କୋଟି ଟଙ୍କାର ବେତନ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗତ ୨୦୧୯ରୁ ୨୦୨୦ ମଧ୍ୟରେ ବିଭାଗର ବେତନ ବ୍ୟବସ୍ଥାରେ କାଗଜପତ୍ରରେ ମାତ୍ର ଥିବା ୧୦ ଜଣ ଭୂତ କର୍ମଚାରୀଙ୍କ ନାମରେ ପ୍ରତିମାସ ଦରମା ପ୍ରଦାନ କରାଯାଉଥିଲା। ତେବେ ପୁରୁଣା ସେବାର୍ଥ (Sevarth) ବେତନ ପୋର୍ଟାଲରୁ ନୂଆ ସଫ୍ଟୱେରକୁ ତଥ୍ୟ ସ୍ଥାନାନ୍ତର ସମୟରେ ଏହି ବ୍ୟାପକ ଆର୍ଥିକ ଅନିୟମିତତା ଧରାପଡ଼ିଥିଲା।

ଉତ୍ତର ଆଞ୍ଚଳିକ ବିଭାଗର ଜଣେ ପୋଲିସ ଅଧିକାରୀଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ମାମଲାରେ କୁହାଯାଇଛି ଯେ, ୧୦ ଜଣ ଅଣ-ପୋଲିସ ବ୍ୟକ୍ତିଙ୍କୁ କର୍ମଚାରୀ ଭାବେ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ନିୟମିତ ବେତନ ପଠାଯାଉଥିଲା। ତଦନ୍ତରେ ଜଣାପଡ଼ିଛି ଯେ, ୨୦୧୯ ଡିସେମ୍ବରରୁ ୨୦୨୦ ଫେବୃଆରୀ ଏବଂ ୨୦୨୦ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏହି ବେଆଇନ ବେତନ କାରବାର ସବୁଠାରୁ ଅଧିକ ହୋଇଥିଲା। ଅଭିଯୋଗ ଅନୁସାରେ, କିଛି କିରାଣି ଓ ପ୍ରଶାସନିକ ଅଧିକାରୀ ମିଶି ଜାଲିଆତି ଉପସ୍ଥାନ ରେଜିଷ୍ଟର ଏବଂ ସର୍ଭିସ୍ ରେକର୍ଡ ପ୍ରସ୍ତୁତ କରି ବାହାର ଲୋକଙ୍କ ନାମକୁ ବେତନ ତାଲିକାରେ ସାମିଲ କରିଥିଲେ।

ଏହି ଘଟଣାରେ ସେତେବେଳର ପାଞ୍ଚ ଜଣ କର୍ମଚାରୀଙ୍କ ବିରୋଧରେ ଠକେଇ, ଜାଲିଆତି, ବିଶ୍ୱାସଭଙ୍ଗ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ, ଜାଲି ସର୍ଭିସ୍ ଆଇଡି ଓ ପେନ୍ସନ୍ ଆଇଡି ସୃଷ୍ଟି କରି ବେଆଇନ ଭାବେ ବେତନ ପ୍ରଦାନ କରାଯାଇଥିବା ଅଭିଯୋଗର ତଦନ୍ତ ଚାଲିଛି। ପୋଲିସ ବର୍ତ୍ତମାନ ସେହି ୧୦ ଜଣ ଭୂତ କର୍ମଚାରୀଙ୍କ ପ୍ରକୃତ ପରିଚୟ ଏବଂ ସେମାନଙ୍କ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଖାତାକୁ କିଏ ପରିଚାଳନା କରୁଥିଲା, ତାହାର ଖୋଳତାଡ଼ ଚଳାଇଛି। ଏହି ଘଟଣା ପରେ ମହାରାଷ୍ଟ୍ରର ଅନ୍ୟ ଜିଲ୍ଲାଗୁଡ଼ିକର ବେତନ ବ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରିବାକୁ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories