ରାଜନୀତିକ ଦଳ ନୁହେଁ ,ଦୃଢ ସଂଗଠନ ଭାବେ କାମ କରିବ CJP; ବଡ ସଙ୍କେତ ଦେଲେ ଅଭିଜିତ ଦିପକେ!
ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦିପକେ ଦଳକୁ ନେଇ ଏକ ବଡ ସଙ୍କେତ ଦେଇଛନ୍ତି | ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ ସଂଗଠନର ରାଜନୀତିକ ଦଳ ଗଠନ କରିବାର କୌଣସି ଯୋଜନା ନାହିଁ। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଆୟୋଜିତ CJPର ଦୁଇଦିନିଆ ରଣନୀତି ବୈଠକ ପରେ ସେ କହିଛନ୍ତି, ଏହି ସଂଗଠନ ଏକ ‘ପ୍ରେସର ଗ୍ରୁପ୍’ ବା ଚାପ ସୃଷ୍ଟିକାରୀ ମଞ୍ଚ ଭାବେ କାମ କରିବ। ଏହାସହ ଆଗାମୀ ଦିନରେ ସଂଗଠନକୁ ଜାତୀୟ ସ୍ତରରେ ବିସ୍ତାର କରିବା ସହ ଝାଡ଼ଖଣ୍ଡର ଛାତ୍ର ଆନ୍ଦୋଳନରେ ମଧ୍ୟ ସାମିଲ ହେବାର ସଙ୍କେତ ଦେଇଛନ୍ତି।
ମାତ୍ର ଦୁଇ ମାସ ପୂର୍ବରୁ ବ୍ୟଙ୍ଗାତ୍ମକ ଅଭିଯାନ ଭାବେ ଆରମ୍ଭ ହୋଇଥିବା CJP ପରବର୍ତ୍ତୀ ସମୟରେ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନର ମୁଖ୍ୟ ଚେହେରା ପାଲଟିଥିଲା। ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନ ଦେଶବ୍ୟାପୀ ଚର୍ଚ୍ଚାରେ ଆସିଥିଲା। ଜୁଲାଇ ୨୦ରେ ହିଂସାକାଣ୍ଡ ଘଟିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା ଏବଂ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ। ଦିପକେ କହିଛନ୍ତି, ସାଧାରଣ ଲୋକ ଓ ଯୁବପିଢ଼ିଙ୍କ ସ୍ୱରକୁ ଶକ୍ତିଶାଳୀ କରିବା ହିଁ CJPର ମୁଖ୍ୟ ଲକ୍ଷ୍ୟ।
ଦୁଇଦିନିଆ ବୈଠକରେ ସଂଗଠନର ଭବିଷ୍ୟତ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦିପକେଙ୍କ ସହ CJPର ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଦିଲ୍ଲୀ ଆନ୍ଦୋଳନରେ ସକ୍ରିୟ ଥିବା ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବକ ଏହି ବୈଠକରେ ଯୋଗ ଦେଇଥିଲେ। ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ଲିସେନିଂ ଟୁର୍’ ଆରମ୍ଭ କରି ବିଭିନ୍ନ ରାଜ୍ୟର ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରିବାର ଯୋଜନା ମଧ୍ୟ ଘୋଷଣା କରାଯାଇଛି।

