ଅଗଷ୍ଟ ୧୫କୁ ‘ଇଣ୍ଡିଆ ଡେ’ ଭାବେ ପାଳନ କରିବ ମାସାଚୁସେଟ୍ସ; ଭାରତୀୟ ସମୁଦାୟକୁ ବଡ଼ ସମ୍ମାନ
ନୂଆଦିଲ୍ଲୀ: ଭାରତର ୭୯ତମ ସ୍ୱାଧୀନତା ଦିବସ ଅବସରରେ ଆମେରିକାର ମାସାଚୁସେଟ୍ସ ରାଜ୍ୟ ଅଗଷ୍ଟ ୧୫କୁ ‘ଇଣ୍ଡିଆ ଡେ’ (India Day) ଭାବେ ଘୋଷଣା କରିଛି। ମାସାଚୁସେଟ୍ସର ଗଭର୍ଣ୍ଣର ମୌରା ହିଲି ଏହି ଘୋଷଣା କରିଥିବା ବେଳେ ବୋଷ୍ଟନ ମେୟର ମିଶେଲ ୱୁ ମଧ୍ୟ ସମାନ ପ୍ରକାରର ଘୋଷଣାପତ୍ର ଜାରି କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ଭାରତୀୟ-ଆମେରିକୀୟ ସମୁଦାୟର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅବଦାନକୁ ସମ୍ମାନ ଜଣାଯାଇଛି।
ଗଭର୍ଣ୍ଣରଙ୍କ ଘୋଷଣାପତ୍ରରେ କୁହାଯାଇଛି ଯେ, ୧୯୪୭ ମସିହାରେ ବ୍ରିଟିଶ ଶାସନରୁ ଭାରତ ସ୍ୱାଧୀନତା ଲାଭ କରିବା ପରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଭିତ୍ତି ସ୍ଥାପିତ ହୋଇଥିଲା। ସେହି ଐତିହାସିକ ଘଟଣାକୁ ସ୍ମରଣ କରି ଅଗଷ୍ଟ ୧୫କୁ ‘ଇଣ୍ଡିଆ ଡେ’ ଭାବେ ପାଳନ କରିବା ସହ ରାଜ୍ୟବାସୀଙ୍କୁ ଏହି ଦିବସ ପାଳନ କରିବାକୁ ଆହ୍ୱାନ କରାଯାଇଛି।
ଘୋଷଣାପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ବିଶ୍ୱରେ ପ୍ରାୟ ୩.୬ କୋଟି ଭାରତୀୟ ବଂଶୋଦ୍ଭୂତ ଲୋକ ବସବାସ କରୁଥିବା ବେଳେ, ସେଥିମଧ୍ୟରୁ ୫୦ ଲକ୍ଷରୁ ଅଧିକ ଲୋକ ଆମେରିକାରେ ରହୁଛନ୍ତି। ସେମାନେ ଆମେରିକାର ସାମାଜିକ, ଆର୍ଥିକ ଓ ନାଗରିକ ଜୀବନରେ ଉଲ୍ଲେଖନୀୟ ଅବଦାନ ରଖୁଛନ୍ତି। ଭାରତର ବିବିଧ ଭାଷା, ସଂସ୍କୃତି, ଧର୍ମ, ପରମ୍ପରା ଓ ଐତିହ୍ୟକୁ ମଧ୍ୟ ଘୋଷଣାପତ୍ରରେ ପ୍ରଶଂସା କରାଯାଇଛି। ସେହିପରି ବୋଷ୍ଟନରେ ନୂତନ ଭାରତୀୟ କନସୁଲେଟ୍ ଖୋଲିବା ଏବଂ INS ସୁଦର୍ଶିନୀ ଜାହାଜର ଐତିହାସିକ ଗସ୍ତକୁ ମଧ୍ୟ ଏହି ଅବସରରେ ସ୍ୱାଗତ କରାଯାଇଛି।

