ଶେଖ୍ ହସିନାଙ୍କ ସମ୍ମିଳନୀ ପୂର୍ବରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା! ତାରିକ୍ ରହମାନଙ୍କ ସତର୍କବାଣୀ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଦେଶରେ ଅସ୍ଥିରତା ସୃଷ୍ଟି ନକରିବାକୁ ସତର୍କ କରି କହିଛନ୍ତି ଯେ, ଅନାବଶ୍ୟକ ବିବାଦ ଓ ମତଭେଦ ସୃଷ୍ଟି ହେଲେ କ୍ଷମତାରୁ ହଟିଥିବା ସ୍ୱେଚ୍ଛାଚାରୀ ଶକ୍ତି ପୁଣିଥରେ ରାଜନୀତିରେ ସକ୍ରିୟ ହେବାର ସୁଯୋଗ ପାଇପାରେ।
୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇ ଭାରତରେ ରହୁଥିବା ଶେଖ୍ ହସିନା ପ୍ରାୟ ଦୁଇ ବର୍ଷ ପରେ ନିଜର ପ୍ରଥମ ସାର୍ବଜନୀନ ଅଭିଭାଷଣ ଦେବାକୁ ଯାଉଛନ୍ତି। ନୂଆଦିଲ୍ଲୀର ମଥୁରା ରୋଡ୍ସ୍ଥିତ ‘ଫରେନ୍ କରେସପଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆ’ (FCC South Asia) ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସେ ସନ୍ଧ୍ୟା ୬ଟାରୁ ୭ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ବାଂଲାଦେଶର ବର୍ତ୍ତମାନର ରାଜନୈତିକ ସ୍ଥିତି, ଗଣତନ୍ତ୍ରର ପୁନରୁଦ୍ଧାର, ଆଗାମୀ ରାଜନୈତିକ ରଣନୀତି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଯୋଜନା ସମ୍ପର୍କରେ ନିଜର ମତ ରଖିବେ।
ଅନ୍ୟପଟେ, ଏକ ସାକ୍ଷାତକାରରେ ଶେଖ୍ ହସିନା କହିଛନ୍ତି ଯେ, ସେ ନିଶ୍ଚିତ ଭାବେ ବାଂଲାଦେଶକୁ ଫେରିବେ। ସେ କହିଛନ୍ତି, “ମୋତେ ହତ୍ୟା କରାଯାଇପାରେ, ଗିରଫ କରାଯାଇପାରେ କିମ୍ବା ଜେଲ୍କୁ ପଠାଯାଇପାରେ। ମୁଁ ସବୁ ବିପଦ ସମ୍ପର୍କରେ ସଚେତନ। ତଥାପି ମୁଁ ମୋ ଦେଶକୁ ଫେରିବାକୁ ଚାହେଁ, କାରଣ ବାଂଲାଦେଶର ଲୋକମାନେ ମୋତେ ଡାକୁଛନ୍ତି।” ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶ ସରକାର ପୂର୍ବରୁ ଭାରତ ନିକଟରେ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିଥିବାବେଳେ, ସେ ୨୦୨୬ ଶେଷ ସୁଦ୍ଧା ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି।

