Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃଦ୍ଧାଶ୍ରମରେ ଏକାକୀ ମୃତ୍ୟୁ, ବାପାଙ୍କ ଶେଷ ଦର୍ଶନକୁ ଆସିଲେନି ୩ ଝିଅ; ଭିଡିଓ କଲ୍‌ରେ ଦେଖିଲେ ଶେଷକୃତ୍ୟ

ହରିୟାଣାର ସୋନିପତର ଏକ ବୃଦ୍ଧାଶ୍ରମରେ ରହୁଥିବା ୭୪ ବର୍ଷୀୟ ଶିବଚରଣ ଗୁପ୍ତାଙ୍କ ମୃତ୍ୟୁ ପରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତାଙ୍କର ତିନି ଝିଅ ଥିବା ସତ୍ତ୍ୱେ କେହି ମଧ୍ୟ ତାଙ୍କ ଶେଷ ଦର୍ଶନ କିମ୍ବା ଶେଷକୃତ୍ୟରେ ଯୋଗ ଦେଇନଥିଲେ। ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ନେଇ ତିନି ଝିଅଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ କେହି ତାଙ୍କୁ ଦେଖିବାକୁ ଆସିନଥିଲେ। ଏପରିକି ଅସୁସ୍ଥତା ବଢ଼ିବା ପରେ ସେମାନେ ତାଙ୍କ ଫୋନ୍‌ ମଧ୍ୟ ଧରିବା ବନ୍ଦ କରିଦେଇଥିଲେ।

ଶିବଚରଣ ଗୁପ୍ତାଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମ ପକ୍ଷରୁ ପୁଣିଥରେ ତାଙ୍କ ଝିଅମାନଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ସେମାନେ ଆସିବା ପର୍ଯ୍ୟନ୍ତ ଶେଷକୃତ୍ୟ ବିଳମ୍ବ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ କୌଣସି ଝିଅ ଆସିବାକୁ ରାଜି ହୋଇନଥିଲେ। ବରଂ ବଡ଼ ଝିଅ ଅନଲାଇନ୍‌ରେ ୫,୧୦୦ ଟଙ୍କା ପଠାଇ ଶେଷକୃତ୍ୟର ବ୍ୟବସ୍ଥା କରିବାକୁ କହିଥିଲେ ଏବଂ ଭିଡିଓ କଲ୍‌ରେ ସମ୍ପୂର୍ଣ୍ଣ ଶେଷକୃତ୍ୟ ଦେଖିଥିଲେ। ପ୍ରଥମେ ଅସ୍ଥି ସଂରକ୍ଷଣ କରିବାକୁ କହିଥିଲେ ମଧ୍ୟ ପରେ “ସମୟ ନାହିଁ” ବୋଲି କହି ଗଙ୍ଗାରେ ଅସ୍ଥି ବିସର୍ଜନ ମଧ୍ୟ ବୃଦ୍ଧାଶ୍ରମକୁ କରିବାକୁ ଅନୁରୋଧ କରିଥିଲେ।

ଶିବଚରଣ ଗୁପ୍ତା ବସ୍ତ୍ର ବ୍ୟବସାୟୀ ଥିଲେ। ସେ ଓ ତାଙ୍କ ପତ୍ନୀ ତିନି ଝିଅଙ୍କୁ ପଢ଼ାଇ ସ୍ୱାବଲମ୍ବୀ କରିଥିଲେ। ବର୍ତ୍ତମାନ ତିନିଜଣ ଭିନ୍ନ ଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ସେ ବୃଦ୍ଧାଶ୍ରମରେ ରହୁଥିଲେ ଏବଂ ସନ୍ତାନମାନଙ୍କ ସହ କଥା ହେବା ପାଇଁ ଗୋଟିଏ ମୋବାଇଲ୍‌ ଫୋନ୍‌ ହିଁ ତାଙ୍କର ଏକମାତ୍ର ଭରସା ଥିଲା। ଏହି ଘଟଣା ପରିବାରିକ ସମ୍ପର୍କ ଓ ବୃଦ୍ଧଙ୍କ ପ୍ରତି ସନ୍ତାନମାନଙ୍କ ଦାୟିତ୍ୱକୁ ନେଇ ପୁଣିଥରେ ଗଭୀର ଆଲୋଚନା ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories