Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୧୩ର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତ୍ତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲ: ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୩ ମସିହାରେ ଘଟିଥିବା ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ପୂର୍ବତନ ‘ତେହେଲକା’ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ତରୁଣ ତେଜପାଲଙ୍କୁ ବମ୍ବେ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ନୀଲା ଗୋଖଲେ ଓ ଅମିତ ଜାମସନ୍ଦେକରଙ୍କ ଖଣ୍ଡପୀଠ ଗୋଆ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଏହାପୂର୍ବରୁ ୨୦୨୧ ମସିହାରେ ଗୋଆର ଏକ ସେସନ୍ସ କୋର୍ଟ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ଖଲାସ କରିଥିଲେ, ଯାହାକୁ ଗୋଆ ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ମାମଲା ଅନୁସାରେ, ୨୦୧୩ ନଭେମ୍ବର ୭ ଓ ୮ ତାରିଖରେ ଗୋଆର ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ଲିଫ୍ଟ ଭିତରେ ତେଜପାଲ ତାଙ୍କର ଜଣେ କନିଷ୍ଠ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ୨୦୧୩ ନଭେମ୍ବର ୩୦ରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ‘ତେହେଲକା’ର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ପରେ ୨୦୧୪ରେ ସେ ଜାମିନରେ ମୁକ୍ତି ପାଇଥିଲେ। ତେଜପାଲ ସଦାସର୍ବଦା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି।

ଶୁଣାଣି ବେଳେ ଗୋଆ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେତା ଯୁକ୍ତି ରଖି କହିଥିଲେ ଯେ, ସେସନ୍ସ କୋର୍ଟ ପୀଡ଼ିତାଙ୍କ ଆଚରଣକୁ ଭୁଲ ମାନଦଣ୍ଡରେ ବିଚାର କରିଥିଲେ ଏବଂ ଛୋଟ ଛୋଟ ଅସଙ୍ଗତିକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେ ତେଜପାଲଙ୍କ ପକ୍ଷରୁ ପୀଡ଼ିତାଙ୍କୁ ପଠାଯାଇଥିବା କ୍ଷମା ପ୍ରାର୍ଥନା ଇ-ମେଲ୍‌କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଦର୍ଶାଇଥିଲେ। ଅନ୍ୟପଟେ ପ୍ରତିରକ୍ଷା ପକ୍ଷର ଓକିଲ ଅବଦ ପୋଣ୍ଡା କହିଥିଲେ ଯେ, ସେହି ଇ-ମେଲ୍‌କୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ସେଥିରେ କୌଣସି ଯୌନ ସମ୍ପର୍କ ସ୍ୱୀକାର କରାଯାଇନଥିଲା। ତେବେ ସମସ୍ତ ଯୁକ୍ତି ଓ ପ୍ରମାଣକୁ ବିଚାର କରି ହାଇକୋର୍ଟ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ