Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନଷ୍ଟାଗ୍ରାମ ବନ୍ଧୁତାରୁ ଅପହରଣ! ନାବାଳିକାଙ୍କୁ ଦୁଷ୍କର୍ମ, ଫୁଡ୍ ଡେଲିଭରିରୁ ଉଦ୍ଧାର କଲା ପୁଲିସ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଦୁଇ ଦିନ ଧରି ଦୁଷ୍କର୍ମ ଓ ନିର୍ମମ ନିର୍ଯାତନା ଦେଇଥିବା ଅଭିଯୋଗରେ ୨୦ ବର୍ଷୀୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ପୀଡ଼ିତା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଝିଅ ହୋଇଥିବା ବେଳେ ସେ ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ଅନଲାଇନ୍ ଗେମିଂ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ଫ୍ରେଣ୍ଡସିପ୍ ଡେ’ ଦିନ ସେ ସାଙ୍ଗମାନଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ। ପରେ ସେ ଘରକୁ ଫେରିନଥିବାରୁ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା।

ତଦନ୍ତ ସମୟରେ ପୁଲିସ ପୀଡ଼ିତାଙ୍କ କଲ୍ ରେକର୍ଡ ଓ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରି ଅଭିଯୁକ୍ତ ନିର୍ଭୟ ଓରଫ ଆକାଶ ମାଧବ ପାଖରେଙ୍କୁ ସନ୍ଦେହ କରିଥିଲା। ସେ ଠାଣେର ବାସିନ୍ଦା ହୋଇଥିବା ବେଳେ ନାଗପୁରରେ ଭଡ଼ା ଘରେ ରହି ବିବିଏ ପଢ଼ୁଥିଲେ। ପୁଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିବା ପରେ ଅଭିଯୁକ୍ତ ଭୟଭୀତ ହୋଇ ପୀଡ଼ିତାଙ୍କୁ ତାଙ୍କ ପରିବାରକୁ ଫୋନ୍ କରି ସବୁ ଠିକ୍ ଅଛି ବୋଲି କହିବାକୁ ବାଧ୍ୟ କରିଥିଲେ। ଏହି କଲ୍‌ରୁ ପୁଲିସ ସେମାନଙ୍କ ଅବସ୍ଥାନ ସମ୍ପର୍କରେ ସୂଚନା ପାଇଥିଲା। କିଛି ସମୟ ପରେ ଅଭିଯୁକ୍ତ ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ। ଡେଲିଭରି କର୍ମଚାରୀଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ପୁଲିସ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାବେଳେ ପୀଡ଼ିତାଙ୍କୁ ନଗ୍ନ ଅବସ୍ଥାରେ ଖଟରେ ବାନ୍ଧି ରଖାଯାଇଥିବା ଦେଖିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରର ଆଘାତ ଚିହ୍ନ ଥିବା ସହ ଗୋଟିଏ ହାତର କଳାଇ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଥିଲା। ପୁଲିସ କହିଛି, ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ହେଲେ ଅଭିଯୁକ୍ତ ନାବାଳିକାଙ୍କୁ ହତ୍ୟା କରିଦେଇଥାନ୍ତା। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆଇନ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଧାରାରେ ମାମଲା ରୁଜୁ କରାଯାଇଛି। ପୀଡ଼ିତା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁ ମାନସିକ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ଅଭିଯୁକ୍ତଙ୍କ ଓକିଲ ଏହାକୁ ପ୍ରେମ ସମ୍ପର୍କର ଘଟଣା ବୋଲି ଦାବି କରି ଅପହରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ