କେରଳରେ ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା; ବାପାଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା
ତିରୁଅନନ୍ତପୁରମ୍: କେରଳର ପଥାନମଥିଟ୍ଟା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ତାଙ୍କ ବାପାଙ୍କ ସମେତ ୭ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏହି ମାମଲାରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ପୁଲିସ ସୂଚନା ଅନୁସାରେ, ପୀଡ଼ିତା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରୁ ଭିନ୍ନ ଭିନ୍ନ ସମୟରେ ତାଙ୍କ ସହ ଯୌନ ନିର୍ଯାତନା ଘଟିଥିଲା। ନାବାଳିକା ନିଜ ସହପାଠୀଙ୍କୁ ଏହି ଘଟଣା ବିଷୟରେ କହିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଶିଶୁ କଲ୍ୟାଣ କମିଟି (Child Welfare Committee) ଏହାକୁ ଗୁରୁତ୍ୱର ସହ ନେଇ ପୁଲିସକୁ ଅବଗତ କରିଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ପକ୍ସୋ (POCSO) ଆଇନ ଅନୁଯାୟୀ ୭ଟି ପୃଥକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଘଟଣାଗୁଡ଼ିକ ଭିନ୍ନ ସ୍ଥାନ ଓ ସମୟରେ ଘଟିଥିବାରୁ ୬ଟି ମାମଲା ମଲୟାଲାପୁଝା ଥାନାରେ ଏବଂ ଗୋଟିଏ ମାମଲା ପେରୁନାଡ୍ ଥାନାରେ ରୁଜୁ ହୋଇଛି।
ପୁଲିସ କହିଛି, ଅଭିଯୁକ୍ତମାନେ ପରସ୍ପରକୁ ଜାଣି ନଥିଲେ ଏବଂ ସ୍ୱାଧୀନ ଭାବେ ଅପରାଧ କରିଥିଲେ। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ପୀଡ଼ିତା ରହୁଥିବା ଭଡ଼ା ଘରର ମାଲିକ ଏବଂ ସେହି ଘରର ଅନ୍ୟ ଜଣେ ବାସିନ୍ଦା ରହିଛନ୍ତି। ନାବାଳିକାଙ୍କ ବାପା ବର୍ତ୍ତମାନ ବିଦେଶରେ ଥିବାବେଳେ ତାଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ ଦେଶକୁ ଆଣିବାକୁ ପଦକ୍ଷେପ ନିଆଯାଉଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଥିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପଥାନମଥିଟ୍ଟା ଜିଲ୍ଲା ପୁଲିସ ମୁଖ୍ୟଙ୍କ ତତ୍ତ୍ୱାବଧାନରେ ଘଟଣାର ଅଧିକ ତଦନ୍ତ ଚାଲିଛି।

