Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପାର୍ଟମେଣ୍ଟରେ ଆତଙ୍କ ଖେଳାଇଲେ ମଦ୍ୟପ ଆଇଟି କର୍ମଚାରୀ; ଏୟାର ଗନ୍‌ ଫାୟାରିଂ ପରେ ଅଟକ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠ ଆନେକଲ ଅଞ୍ଚଳରେ ଜଣେ ଆଇଟି କର୍ମଚାରୀଙ୍କ ବେପରୁଆ କାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଦ୍ୟପ ଅବସ୍ଥାରେ ନିଜ ଆପାର୍ଟମେଣ୍ଟର ବାଲକୋନିରୁ ଏୟାର ଗନ୍‌ରେ ସୁରକ୍ଷାକର୍ମୀ ଏବଂ ପାର୍କିଂରେ ଥିବା ଗାଡ଼ିଗୁଡ଼ିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତ ହେଲେ ୪୦ ବର୍ଷୀୟ ଅନୁରାଗ ତିୱାରୀ । ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌର ବାସିନ୍ଦା ହୋଇଥିବା ବେଳେ ଗତ ଆଠ ମାସ ଧରି ଆନେକଲ ନିକଟସ୍ଥ ସିପାନି ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ ଏବଂ ହ୍ୱାଇଟଫିଲ୍ଡର ଏକ ଘରୋଇ ଆଇଟି କମ୍ପାନୀରେ କାର୍ଯ୍ୟରତ ଥିଲେ।

ପୁଲିସ ସୂଚନା ଅନୁସାରେ, ଘଟଣା ଦିନ ଅନୁରାଗ ମଦ୍ୟପାନ କରି ଫୋନରେ ଜୋରରେ ପାଟି କରୁଥିଲେ। କିଛି ସମୟ ପରେ ସେ ବାଲକୋନିକୁ ଆସି ଏୟାର ଗନ୍‌ରୁ ଲଗାତାର ପେଲେଟ୍‌ ଫାୟାରିଂ କରିବା ଆରମ୍ଭ କରିଥିଲେ। ଏହି ପେଲେଟ୍‌ଗୁଡ଼ିକ ପାର୍କିଂରେ ରଖାଯାଇଥିବା କାର୍‌ ଏବଂ ପାର୍କିଂ ସେଡ୍‌ର ଟିଣ ଉପରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ସୁରକ୍ଷାକର୍ମୀମାନେ ଘଟଣାସ୍ଥଳକୁ ଯାଇଥିବା ବେଳେ ଅଭିଯୁକ୍ତ ସେମାନଙ୍କ ଆଡ଼କୁ ମଧ୍ୟ ପେଲେଟ୍‌ ଫାୟାରିଂ କରିଥିବା ଅଭିଯୋଗ ହୋଇଛି।

ପ୍ରାୟ ୪୫ ମିନିଟ୍‌ ଧରି ଏହି ଫାୟାରିଂ ଚାଲିଥିବା ପରେ ସୂଚନା ପାଇ ସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲା। ପୁଲିସ ତାଙ୍କ ନିକଟରୁ ବ୍ୟବହୃତ ଏୟାର ଗନ୍‌ ଏବଂ ପେଲେଟ୍‌ ଜବତ କରିଛି। ଘଟଣାକୁ ନେଇ ସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories