Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ବଡ଼ ଖୁଲାସା; ଛାତ୍ର ଭିସାରେ ଯାଇଥିବା ଭାରତୀୟ ଯୁବକଙ୍କୁ ଅପରାଧରେ କରୁଥିଲେ ସାମିଲ

ନୂଆଦିଲ୍ଲୀ: କାନାଡାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କାର୍ଯ୍ୟକଳାପକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅନୁଯାୟୀ, ଏହି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଛାତ୍ର ଭିସା ଏବଂ ୱର୍କ ପରମିଟ୍‌ରେ କାନାଡା ଯାଇଥିବା ଭାରତୀୟ ଯୁବକମାନଙ୍କୁ ନିଜ ଅପରାଧିକ ନେଟୱାର୍କରେ ସାମିଲ କରୁଥିଲା ବୋଲି କାନାଡା ବର୍ଡର ସର୍ଭିସେସ୍ ଏଜେନ୍ସି (CBSA)ର ଏକ ଗୋପନୀୟ ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି | ପରେ ସେମାନଙ୍କୁ ଜବରଦସ୍ତି ଟଙ୍କା ଆଦାୟ, ଗୁଳିକାଣ୍ଡ, ହତ୍ୟା ଏବଂ ସଙ୍ଗଠିତ ଅପରାଧରେ ବ୍ୟବହାର କରାଯାଉଥିବା ରିପୋର୍ଟରେ ଦାବି କରାଯାଇଛି।

‘ଦ ବିଷ୍ଣୋଇ ଗ୍ୟାଙ୍ଗ: ଆନ୍ ଇମର୍ଜିଙ୍ଗ ଥ୍ରେଟ୍ ଇନ୍ କାନାଡା’ ନାମକ ଏହି ରିପୋର୍ଟ ୨୦୨୫ ଡିସେମ୍ବରରେ କାନାଡାର ସୀମା ଓ ଇମିଗ୍ରେସନ୍ ଅଧିକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରଥମେ ଗ୍ୟାଙ୍ଗ ଖାଲିସ୍ତାନ ସମର୍ଥକ ଏବଂ ପଞ୍ଜାବୀ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲା। ପରେ ୨୦୨୫ ସୁଦ୍ଧା କାନାଡାରେ ବସବାସ କରୁଥିବା ଅନ୍ୟ ଭାରତୀୟ ସମୁଦାୟଙ୍କୁ ମଧ୍ୟ ଧମକ ଦେଇ ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲା। ରିପୋର୍ଟ ଅନୁସାରେ, ୨୦୨୪ରେ କାନାଡାରେ ସାମଗ୍ରିକ ଜବରଦସ୍ତି ଆଦାୟ ମାମଲା ପ୍ରାୟ ୧୦ ପ୍ରତିଶତ କମିଥିଲେ ମଧ୍ୟ ଭାରତୀୟ ନାଗରିକଙ୍କ ସମ୍ପର୍କିତ ମାମଲା ୪୭ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୧୯ରୁ ୨୦୨୩ ମଧ୍ୟରେ ପ୍ରାୟ ୪ ହଜାର ଭାରତୀୟ ଛାତ୍ରଙ୍କ ବିରୋଧରେ ୧୭,୯୨୯ଟି ଆପରାଧିକ ମାମଲା ରୁଜୁ ହୋଇଥିବା ବେଳେ, ସେଥିରୁ ୪,୯୨୦ଟି ମାମଲା ସଙ୍ଗଠିତ କିମ୍ବା ଗୁରୁତର ଅପରାଧ ସହ ଜଡ଼ିତ ଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଗୋଲ୍ଡି ବ୍ରାରଙ୍କୁ କାନାଡାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ମୁଖ୍ୟ ସଂଚାଳକ ବୋଲି ଦର୍ଶାଯାଇଛି। ସେ ୨୦୧୭ରେ ଛାତ୍ର ଭିସାରେ କାନାଡାକୁ ଯାଇଥିଲେ ଏବଂ ପରେ ଉତ୍ତର ଆମେରିକାରେ ଗ୍ୟାଙ୍ଗର ନେଟୱାର୍କ ବିସ୍ତାର କରିଥିବା ଦାବି କରାଯାଇଛି। ଏଥିସହ ଏପି ଢିଲ୍ଲନଙ୍କ ଘର ଉପରେ ଗୁଳିମାଡ଼ ଘଟଣାରେ ଦୋଷୀ ସାବ୍ୟସ୍ତ ଅଭିଜିତ କିଙ୍ଗ୍ରା, ଜଶନଦୀପ ସିଂହ ଏବଂ ଅର୍ଶଦୀପ ସିଂହଙ୍କ ନାମ ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରତ୍ୟେକ ଭାରତୀୟ ଛାତ୍ରଙ୍କୁ ଅପରାଧ ସହ ଯୋଡ଼ିବା ଠିକ୍ ନୁହେଁ। ୨୦୨୪ରେ କାନାଡାରେ ଥିବା ପ୍ରାୟ ୧.୮୮ ଲକ୍ଷ ଭାରତୀୟ ଛାତ୍ରଙ୍କ ମଧ୍ୟରୁ କେବଳ ପ୍ରାୟ ୧ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଥିବା ଏଥିରେ ସ୍ପଷ୍ଟ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories