ଆଉ ଭଲ ଲାଗୁନି କି ପୁରୁଣା Gmail ID? ଭାରତରେ ଆସିଲା ବଦଳାଇବାର ସୁବିଧା, କିପରି କରିବେ ଜାଣନ୍ତୁ…
ଯଦି ଆପଣଙ୍କର ପୁରୁଣା Gmail ID ଆଉ ପସନ୍ଦ ହେଉନାହିଁ, ତେବେ ଏହା ଆପଣଙ୍କ ପାଇଁ ଏକ ପସନ୍ଦର ଖବର। ଗୁଗୁଲ୍ ୨୦୨୫ ଡିସେମ୍ବରରେ ଘୋଷଣା କରିଥିବା Gmail ID ପରିବର୍ତ୍ତନ ସୁବିଧା ଏବେ ଭାରତରେ ମଧ୍ୟ ଉପଲବ୍ଧ ହୋଇଛି। ପ୍ରଥମେ ଏହି ଫିଚର୍ ଆମେରିକାରେ ଉପଲବ୍ଧ ଥିବାବେଳେ, ବର୍ତ୍ତମାନ ଭାରତୀୟ ବ୍ୟବହାରକାରୀମାନେ ମଧ୍ୟ ନିଜ Gmail ଠିକଣା ପରିବର୍ତ୍ତନ କରିବାର ସୁବିଧା ପାଉଛନ୍ତି। ଏହା ଦ୍ୱାରା ନୂଆ ଇମେଲ୍ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନ ପଡ଼ି ପୁରୁଣା ଆକାଉଣ୍ଟରେ ନୂଆ Gmail ID ବ୍ୟବହାର କରିପାରିବେ।
Gmail ID ପରିବର୍ତ୍ତନ କରିବା ପାଇଁ ପ୍ରଥମେ Google Account Settings କୁ ଯାଆନ୍ତୁ। ସେଠାରେ Personal Info ବିଭାଗରେ ଯାଇ Email ବିକଳ୍ପ ଚୟନ କରନ୍ତୁ। ଯଦି ଆପଣଙ୍କ ଆକାଉଣ୍ଟରେ ଏହି ଫିଚର୍ ସକ୍ରିୟ ହୋଇଥାଏ, ତେବେ Gmail ଠିକଣା ସମ୍ପାଦନ (Edit) କରିବାର ବିକଳ୍ପ ଦେଖାଯିବ। ନିଜ ପସନ୍ଦର ନୂଆ Gmail ID ଲେଖି ଯାଞ୍ଚ କରିବା ପରେ ତାହାକୁ ସେଭ୍ କରିପାରିବେ। ନୂଆ ଠିକଣା ଉପଲବ୍ଧ ଥିଲେ ଏହା ତୁରନ୍ତ ସକ୍ରିୟ ହୋଇଯିବ।
ତେବେ ସମସ୍ତ Gmail ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ଏକାଥରେ ଉପଲବ୍ଧ ହୋଇନପାରେ। ଗୁଗୁଲ୍ ପର୍ଯ୍ୟାୟକ୍ରମେ ଏହାକୁ ରୋଲ୍-ଆଉଟ୍ କରୁଛି। ଯେଉଁ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଏହି ସୁବିଧା ଆସିନାହିଁ, ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହି ଫିଚର୍ ଉପଲବ୍ଧ ହେଲେ ବ୍ୟବହାରକାରୀମାନେ ପୁରୁଣା ଇମେଲ୍, କଣ୍ଟାକ୍ଟ ଏବଂ ଅନ୍ୟାନ୍ୟ Google ସେବାକୁ ଅକ୍ଷୁଣ୍ଣ ରଖି ନୂଆ Gmail ID ବ୍ୟବହାର କରିପାରିବେ।

