୨୭ ବର୍ଷ ଥିଲେ ଫେରାର; ମିଛ ଡାକ୍ତର ସାଜି ଚଳାଉଥିଲେ କ୍ଲିନିକ୍, ମଧ୍ୟପ୍ରଦେଶରୁ କାବୁ କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ପ୍ରାୟ ୨୭ ବର୍ଷ ଧରି ଆଇନର ଆଖିରେ ଧୂଳି ଦେଇ ଫେରାର ରହିଥିବା ଜଣେ ଅଭିଯୁକ୍ତଙ୍କୁ ଶେଷରେ ଗିରଫ କରିଛି ଦିଲ୍ଲୀ ପୁଲିସ। ଗିରଫ ଅଭିଯୁକ୍ତ ରାଜେନ୍ଦ୍ର ବୈରାଗୀ ଓରଫ ରାଜେନ୍ଦ୍ର ସିଂହ ଯାଦବ (୫୩) ମଧ୍ୟପ୍ରଦେଶର ଅଶୋକ ନଗରରେ ମିଛ ପରିଚୟରେ ରହି କୌଣସି ବୈଧ ଡାକ୍ତରୀ ପଞ୍ଜୀକରଣ ବିନା କ୍ଲିନିକ୍ ଚଳାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ‘ଡାକ୍ତର ଝଟକା’ ନାମରେ ପରିଚିତ ଥିଲେ। ପୁଲିସ ତାଙ୍କୁ ମଙ୍ଗଳବାର ଗିରଫ କରିବା ପରେ ବୁଧବାର ଦିଲ୍ଲୀକୁ ଆଣିଛି।
ପୁଲିସ ସୂଚନା ଅନୁସାରେ, ୧୯୯୮ ମସିହାରେ ହରିୟାଣାର ସୋନିପତରେ ଏକ ବିବାହ ଉତ୍ସବ ସମୟରେ ବଚସା ପରେ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଗୁଳିଚାଳନା କରିଥିଲେ। ଏହି ଘଟଣାରେ ପୁଲିସ କର୍ମଚାରୀ ଜୟ ଭଗବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ପରେ ସେ ଗିରଫ ହୋଇଥିଲେ ମଧ୍ୟ ୧୯୯୯ ମସିହାରେ ଗାଜିଆବାଦ ଜେଲରୁ ସୋନିପତ କୋର୍ଟକୁ ନିଆଯାଉଥିବା ବେଳେ ପୁଲିସ ହେପାଜତରୁ ହାତକଡ଼ା ସହ ଫେରାର ହୋଇଯାଇଥିଲେ। ଏହାପରେ ସେ ପ୍ରଥମେ ମହାରାଷ୍ଟ୍ରରେ କିଛି ସମୟ ଶାରୀରିକ ଶିକ୍ଷା ଶିକ୍ଷକ ଭାବେ କାମ କରିଥିଲେ ଏବଂ ପରେ ମଧ୍ୟପ୍ରଦେଶକୁ ଯାଇ ନୂଆ ପରିଚୟରେ ଜୀବନ ଆରମ୍ଭ କରିଥିଲେ।
ଅଶୋକ ନଗରରେ ରହି ସେ କ୍ଲିନିକ୍ ଚଳାଇବା ସହ ସମ୍ପତ୍ତି କାରବାର ଓ ଠିକାଦାରୀ କାମ ମଧ୍ୟ କରୁଥିଲେ। ୨୦୦୩ ମସିହାରେ ସେ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ଜଣେ ସରକାରୀ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି। ଦିଲ୍ଲୀ ପୁଲିସ ପୁରୁଣା ମାମଲାର ତଦନ୍ତ ପୁନର୍ବାର ଆରମ୍ଭ କରି ତାଙ୍କ ପରିଚୟ ନିଶ୍ଚିତ କରିଥିଲା। ପରେ ତାଙ୍କ ଦୈନନ୍ଦିନ ଚଳାଚଳ ଉପରେ ନଜର ରଖି ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପୁଲିସ ତାଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଜାରି ରଖିଛି।

