ଅବତରଣ ପୂର୍ବରୁ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗ! କେରଳର ଯାତ୍ରୀ ଗିରଫ
ନୂଆଦିଲ୍ଲୀ: କୁଆଲାଲମ୍ପୁରରୁ କୋଚ୍ଚି ଆସୁଥିବା ବାଟିକ୍ ଏୟାରର ଏକ ବିମାନରେ ବୁଧବାର ରାତିରେ ଆତଙ୍କ ସୃଷ୍ଟି ହୋଇଥିଲା। ବିମାନ କୋଚ୍ଚି ବିମାନବନ୍ଦରରେ ଅବତରଣ କରିବାର ମାତ୍ର କିଛି ମିନିଟ୍ ପୂର୍ବରୁ ଜଣେ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ପରେ ବିମାନଟି ସୁରକ୍ଷିତ ଭାବେ କୋଚ୍ଚି ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଥିଲା।
ଅଭିଯୁକ୍ତଙ୍କ ପରିଚୟ କେରଳର ପାଲକ୍କାଡ଼ ଜିଲ୍ଲାର କୁଟାନାଡ଼ ଅଞ୍ଚଳର ୩୪ ବର୍ଷୀୟ ଜମଶିର ଅଥାନିକ୍କାଲ ବୋଲି ଜଣାପଡ଼ିଛି। ସେ ଜରୁରୀକାଳୀନ ଦ୍ୱାର ନିକଟରେ ଥିବା ୱିଣ୍ଡୋ ସିଟ୍ରେ ବସିଥିଲେ। ପୋଲିସ ସୂଚନା ଅନୁସାରେ, ବିମାନ ଅବତରଣ ପାଇଁ ତଳକୁ ଆସୁଥିବା ସମୟରେ ସେ ହଠାତ୍ ଉଠି ଜରୁରୀକାଳୀନ ଦ୍ୱାରର କାଚକୁ ଆଘାତ କରିବା ସହ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ବାରଣ କରିବାକୁ ଯାଇଥିବା କ୍ୟାବିନ୍ କ୍ରୁ ଏବଂ ଅନ୍ୟ ଯାତ୍ରୀଙ୍କୁ ସେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଶେଷରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ମିଶି ତାଙ୍କୁ କାବୁ କରି ବାନ୍ଧି ରଖିଥିଲେ।
ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ବିମାନ କୋଚ୍ଚିରେ ଅବତରଣ କରିବା ପରେ ବାଟିକ୍ ଏୟାର ସୁରକ୍ଷା ଦଳର ଅଭିଯୋଗ ଆଧାରରେ CISF ଅଧିକାରୀମାନେ ଜମଶିରଙ୍କୁ ହେପାଜତକୁ ନେଇଥିଲେ। ପରେ ତାଙ୍କୁ ନେଦୁମ୍ବାସେରୀ ପୋଲିସଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା। ବିମାନକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ, ଧମକ ଦେବା ଏବଂ ବୈଧ ନିର୍ଦ୍ଦେଶ ଅମାନ୍ୟ କରିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ତେବେ ଏହି ଘଟଣା ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।

