ଥାଇଲାଣ୍ଡର ସ୍କୁଲରେ ଭୟଙ୍କର ଗୁଳିକାଣ୍ଡ! ଘଟଣାରେ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀ ସମେତ ୮ ମୃତ
ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ସ୍କୁଲରେ ଘଟିଥିବା ଭୟାବହ ଗୁଳିକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ନୋନ୍ଥାବୁରୀ ପ୍ରାନ୍ତର ବ୍ୟାଙ୍ଗ୍ କ୍ରୁଆଇ ଜିଲ୍ଲାର ଏକ ସ୍କୁଲରେ ଜଣେ ଛାତ୍ର ରାଇଫଲ୍ ନେଇ ପହଞ୍ଚି ଅନ୍ଧାଧୁନ୍ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ମଧ୍ୟରେ ଶିକ୍ଷକ ଓ ସ୍କୁଲର ଅନ୍ୟ କର୍ମଚାରୀମାନେ ମଧ୍ୟ ରହିଛନ୍ତି। ଘଟଣା ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ ଗୁଳି କରି ଜୀବନ ଶେଷ କରିଥିବା ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍କୁଲକୁ ଯିବା ପୂର୍ବରୁ ଛାତ୍ରଜଣକ ନିଜ ଜେଜେବାପା ଓ ଜେଜେମାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ସେ ସ୍କୁଲ ପରିସରରେ ପହଞ୍ଚି ପ୍ରାୟ ୨୬ ରାଉଣ୍ଡ ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରୁ ପୋଲିସ ଆହୁରି ୩୪ଟି ଅବ୍ୟବହୃତ ଗୁଳି ଜବତ କରିଛି। ଆକ୍ରମଣ ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବାବେଳେ, ସେଥିରେ ଛାତ୍ରଜଣକ ବେପରୁଆ ଭାବେ ଗୁଳି ଚଳାଉଥିବା ଏବଂ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଛାତ୍ରଛାତ୍ରୀ ଡେସ୍କ ତଳେ ଲୁଚିଯାଉଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ପୋଲିସ କମାଣ୍ଡର ଡିକ୍ରାପି କୋଙ୍ଗଡେ କହିଛନ୍ତି ଯେ, ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଘଟଣା ସମୟରେ ସ୍କୁଲରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ। ଜଣେ ୧୮ ବର୍ଷୀୟ ଛାତ୍ର କହିଛନ୍ତି, ପ୍ରଥମେ ସେ ଶବ୍ଦକୁ ବାଣ ଫୁଟିବା ଭାବିଥିଲେ, କିନ୍ତୁ ପରେ ଲଗାତାର ଗୁଳିର ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

