Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ କମ୍ପାନୀକୁ ୨,୧୯୨ କୋଟି ଟଙ୍କାର ସଫ୍ଟ ଲୋନ୍‌; ୧୫ କମ୍ପାନୀର ଚୟନ କମିଟି ସଦସ୍ୟଙ୍କ ସହ ନିବେଶ ସମ୍ପର୍କ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଡିପ୍‌-ଟେକ୍‌ କ୍ଷେତ୍ରକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଗଠିତ ଏକ ନୂଆ ସରକାରୀ ପାଣ୍ଠି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୨ଟି ଘରୋଇ କମ୍ପାନୀକୁ ମୋଟ ୨,୧୯୨ କୋଟି ଟଙ୍କାର ସଫ୍ଟ ଲୋନ୍‌ ମଞ୍ଜୁର କରାଯାଇଛି। ମହାକାଶ ବିଜ୍ଞାନ, ଶକ୍ତି ପ୍ରଯୁକ୍ତି, ଫାର୍ମା ସମେତ ବିଭିନ୍ନ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ଏହି କମ୍ପାନୀଗୁଡ଼ିକୁ ୧୨ ଜଣିଆ ଚୟନ କମିଟି ବାଛିଛି। ମୋଟ ୧୨୪ଟି ଆବେଦନ ମଧ୍ୟରୁ ଏହି ୨୨ଟି କମ୍ପାନୀକୁ ଚୟନ କରାଯାଇଛି। କମିଟିରେ ଘରୋଇ ଇକ୍ୱିଟି ଓ ଟେକ୍ନୋଲୋଜି କ୍ଷେତ୍ରର ୧୧ ଜଣ ଅଭିଜ୍ଞ ବ୍ୟକ୍ତିଙ୍କ ସହ ଜଣେ ସରକାରୀ ପ୍ରତିନିଧି ରହିଛନ୍ତି।

ତେବେ ସରକାରୀ ପାଣ୍ଠି ବଣ୍ଟନକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଏକ ଅନୁସନ୍ଧାନ ଅନୁଯାୟୀ, ଏହି ୨୨ଟି କମ୍ପାନୀ ମଧ୍ୟରୁ ୧୫ଟିରେ ଚୟନ କମିଟିର ୭ ଜଣ ସଦସ୍ୟଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିବେଶ ସମ୍ପର୍କ ରହିଛି। ଏହି ୧୫ଟି କମ୍ପାନୀକୁ ମୋଟ ୧,୩୭୭ କୋଟି ଟଙ୍କାରୁ ଅଧିକ ରାଶି ମଞ୍ଜୁର ହୋଇଛି। ଏଥିରୁ ୯ଟି କମ୍ପାନୀର ସମ୍ପର୍କ ଚୟନ କମିଟିର ଅଧ୍ୟକ୍ଷଙ୍କ ସହ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ସେ ଜଣେ ଏଞ୍ଜେଲ୍ ଇନଭେଷ୍ଟିଂ ନେଟୱର୍କର ପ୍ରତିଷ୍ଠାତା ହୋଇଥିବାବେଳେ ଚୟନ ହୋଇଥିବା ଅତିକମ୍‌ରେ ଗୋଟିଏ କମ୍ପାନୀରେ ତାଙ୍କର ବ୍ୟକ୍ତିଗତ ନିବେଶ ମଧ୍ୟ ରହିଛି।

ଏହି କମିଟି ସଦସ୍ୟମାନେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡ (TDB)ର ଇନଭେଷ୍ଟମେଣ୍ଟ କମିଟିର ସଦସ୍ୟ। ଏହି ବୋର୍ଡ ସହ ଅନ୍ୟ ଏକ ସଂସ୍ଥାକୁ ୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା ୧ ଲକ୍ଷ କୋଟି ଟଙ୍କାର ରିସର୍ଚ୍ଚ, ଡେଭଲପମେଣ୍ଟ ଆଣ୍ଡ ଇନୋଭେସନ୍‌ (RDI) ଫଣ୍ଡ ପାଇଁ ଘରୋଇ କମ୍ପାନୀ ଚୟନ ଦାୟିତ୍ୱ ଦିଆଯାଇଛି। ତେବେ ସମ୍ପୃକ୍ତ ୭ ଜଣ କମିଟି ସଦସ୍ୟ ଅନିୟମିତତାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ନିୟମାବଳୀରେ ସ୍ୱାର୍ଥ ସଂଘାତ ଥିବା କୌଣସି ମାମଲାରେ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବାର ବ୍ୟବସ୍ଥା ରହିଛି। ସେମାନେ ନିଜ ନିବେଶ ଓ ସମ୍ପର୍କ ସମ୍ପର୍କରେ ସରକାରଙ୍କୁ ପୂର୍ବରୁ ଅବଗତ କରାଇଥିବା ଏବଂ ନିୟମ ଅନୁସାରେ ସମ୍ପୃକ୍ତ କମ୍ପାନୀଗୁଡ଼ିକର ଚୟନ ନିଷ୍ପତ୍ତିରୁ ନିଜକୁ ବାଦ ଦେଇଥିବା ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories