ହିମାଚଳରେ ଭୟଙ୍କର ବସ୍ ଦୁର୍ଘଟଣା:ଓଲଟି ପଡ଼ିଲା ବସ୍, ୮ ମୃତ, ୧୦ ଆହତ
ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଶନିବାର ସକାଳେ ଘଟିଛି ଭୟଙ୍କର ବସ୍ ଦୁର୍ଘଟଣା। ବାଇରାଗଡ଼-ତିସ୍ସା ରାସ୍ତାରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ି ତଳ ରାସ୍ତାକୁ ଖସିଯିବାରୁ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ସୂଚନା ଅନୁସାରେ, ଶର୍ମା ବସ୍ ସର୍ଭିସ୍ର ଏହି ବସ୍ଟି ବାଇରାଗଡ଼ରୁ ଚମ୍ବା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୬ଟା ୩୦ ମିନିଟ୍ରେ ବାଇରାଗଡ଼ରୁ ବାହାରିଥିବା ବସ୍ଟି ପ୍ରାୟ ୩ କିଲୋମିଟର ଯିବା ପରେ ଦେବୀକୋଠି ଅଞ୍ଚଳର ଚାଲୁଞ୍ଜ ମୋଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ବସ୍ରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମେତ ମୋଟ ୧୮ ଜଣ ଯାତ୍ରୀ ଥିଲେ। ବସ୍ଟି ରାସ୍ତାରୁ ଓଲଟି ତଳେ ଥିବା ଅନ୍ୟ ଏକ ରାସ୍ତା ଉପରେ ପଡ଼ିଯିବାରୁ ଅନେକ ଯାତ୍ରୀ ଭଙ୍ଗା ବସ୍ ତଳେ ଫସି ରହିଥିଲେ।
ଦୁର୍ଘଟଣା ପରେ ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପରେ ଏନ୍ଡିଆରଏଫ୍, ପୁଲିସ, ହୋମଗାର୍ଡ, ଅଗ୍ନିଶମ ବାହିନୀ ଓ ରାଜସ୍ୱ ବିଭାଗର ଟିମ୍ ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଚଳାଇଥିଲେ। ୧୦ ଜଣ ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚମ୍ବାସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର୍ କରାଯାଇଛି।
ଚମ୍ବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ୮ ଜଣଙ୍କ ମୃତ୍ୟୁ ଓ ୧୦ ଜଣ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଆଧିକାରିକ ଭାବେ ପ୍ରକାଶ କରାଯାଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

