ମୋଜତବା ଖାମେନେଇଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା, ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଇସ୍ରାଏଲର ଦାବି!
ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଇସ୍ରାଏଲୀ ଗଣମାଧ୍ୟମର କିଛି ରିପୋର୍ଟରେ ମୋଜତବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଏବଂ ସେ ଚିକିତ୍ସାଧୀନ ଥିବା ଦାବି କରାଯାଇଛି। ଏପରିକି ତାଙ୍କ ଅବସ୍ଥା ଆହୁରି ବିଗିଡ଼ିପାରେ ବୋଲି କିଛି ରିପୋର୍ଟରେ ଦାବି ହୋଇଛି। ତେବେ ଏହି ସୂଚନାର ସ୍ୱାଧୀନ ଭାବେ ପ୍ରମାଣ ହୋଇନାହିଁ। ଇରାନୀ ଅଧିକାରୀମାନେ ଏଭଳି ଦାବିକୁ ଖଣ୍ଡନ କରିଥିବା ଜଣାପଡ଼ିଛି।
ଇସ୍ରାଏଲୀ ଟେଲିଭିଜନ ଚ୍ୟାନେଲ ୧୪ ଏବଂ ‘ଜେରୁସାଲେମ ପୋଷ୍ଟ’ର କିଛି ସୂତ୍ରକୁ ଉଦ୍ଧୃତ କରି ମୋଜତବାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁରୁତର ଦାବି କରାଯାଇଛି। ଏହା ସହିତ ତାଙ୍କ ସାର୍ବଜନୀନ ଅନୁପସ୍ଥିତିକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠୁଛି। କିଛି ରିପୋର୍ଟରେ ସାମରିକ ଆକ୍ରମଣ ସମୟରେ ତାଙ୍କୁ ଆଘାତ ଲାଗିଥିବା ଏବଂ ସୁରକ୍ଷା କାରଣରୁ ସେ ସାର୍ବଜନୀନ ଭାବେ ଆସୁନଥିବା ଦାବି ହୋଇଛି। ଅନ୍ୟପକ୍ଷରେ, ସାଉଦି ମିଡିଆର କିଛି ରିପୋର୍ଟରେ ସେ ଇରାନରେ ନଥିବା ଦାବି ମଧ୍ୟ କରାଯାଇଛି। ଏହି ସବୁ ଦାବି ମଧ୍ୟରେ ମୋଜତବାଙ୍କ ପ୍ରକୃତ ସ୍ଥିତିକୁ ନେଇ ଅନିଶ୍ଚିତତା ଜାରି ରହିଛି।
ତେବେ ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡ଼ିତ ଅଧିକାରୀମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁରୁତର ଦାବିକୁ ଖଣ୍ଡନ କରିଛନ୍ତି। ମୋଜତବା ସୁରକ୍ଷିତ ଥିବା ଏବଂ ଦେଶର ରଣନୈତିକ ନିଷ୍ପତ୍ତି ନେଉଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ସାର୍ବଜନୀନ ଅନୁପସ୍ଥିତି ଯୋଗୁଁ ଏହି ପ୍ରସଙ୍ଗ ନେଇ ଅନେକ ଅଟକଳ ଜାରି ରହିଛି। ଏହି ଦାବିଗୁଡ଼ିକର ସତ୍ୟତା ନେଇ ଅଧିକ ସ୍ପଷ୍ଟତା ପାଇଁ ଆଧିକାରିକ ସୂଚନାକୁ ଅପେକ୍ଷା କରାଯାଉଛି।

