Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ନେତା ଡେଭିଡ୍ ଡି’ସୌଜା ହତ୍ୟା ମାମଲାରେ ୩ ଗିରଫ, ପୁଲିସ ଉପରେ ଗୁଳି ଚଳାଇଥିଲା ଅଭିଯୁକ୍ତ

କର୍ଣ୍ଣାଟକ: କର୍ଣ୍ଣାଟକର ଉଡୁପି ଜିଲ୍ଲା ପାଦୁବିଦ୍ରିରେ କଂଗ୍ରେସ ନେତା ତଥା ଠିକାଦାର ଡେଭିଡ୍ ଡି’ସୌଜାଙ୍କ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଗଷ୍ଟ ୭ ତାରିଖ ଅପରାହ୍ଣରେ ମୁଦ୍ରାଙ୍ଗାଡ଼ିସ୍ଥିତ ସେଣ୍ଟ ଜାଭିୟର୍ସ ଚର୍ଚ୍ଚ ପରିସରରେ ଡି’ସୌଜାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଅନୁସାରେ, ସେ ନିଜ କାର୍ଯ୍ୟାଳୟରୁ ବାହାରି ଗାଡ଼ି ଆଡ଼କୁ ଯାଉଥିବା ବେଳେ ମୋଟରସାଇକେଲରେ ଆସିଥିବା ଜଣେ ଆକ୍ରମଣକାରୀ ତାଙ୍କ ମୁଣ୍ଡକୁ ପିସ୍ତଲରେ ଗୁଳି କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଡୁପିର ଏକ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ତଦନ୍ତ ବେଳେ ଡି’ସୌଜାଙ୍କ ହତ୍ୟାରେ ସିଧାସଳଖ ସାମିଲ ଥିବା ୩ ଜଣ ଅଭିଯୁକ୍ତ ବସ୍‌ରେ ଭଟକଳ ଅଭିମୁଖେ ଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ବାଇନ୍ଦୁର ନିକଟ ଓଟ୍ଟିନେନ୍‌ରେ ପୁଲିସ ବସ୍‌କୁ ଅଟକାଇବା ପରେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ରାଜୁ ନାମକ ୪୨ ବର୍ଷୀୟ ଅଭିଯୁକ୍ତ ପୁଲିସ ଏସ୍‌ଆଇ ତେଜସ୍ୱୀଙ୍କୁ ଧକ୍କା ଦେଇ ପିସ୍ତଲରେ ଗୁଳି ଚଳାଇଥିବା ପୁଲିସ କହିଛି। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇବାରୁ ରାଜୁଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ପିସ୍ତଲ ଜବତ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଅଜୟ ରସ୍ତୋଗୀ ଓରଫ ଅନମୋଲ ଏବଂ ଜିୟାହୁଲ ୱାଜୁଲ ଶେଖ ଓରଫ ଦୀପକଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ନିର୍ମାଣ କାମକୁ ନେଇ ଡି’ସୌଜାଙ୍କର ଏକ ବାହାର ରାଜ୍ୟର କମ୍ପାନୀ ସହ ଆର୍ଥିକ ବିବାଦ ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ତାଙ୍କ ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାରେ ଗିରଫ ରାଜୁ ପୁଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଛି। ଅପରେସନ ସମୟରେ ଏସ୍‌ଆଇ ତେଜସ୍ୱୀ ଆହତ ହୋଇ ଉଡୁପି ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ରାଜୁଙ୍କ ମଧ୍ୟ ଚିକିତ୍ସା ଚାଲିଛି। ହତ୍ୟା ପଛରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories