Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଆମର ତୁମ ଉପରେ ବିଶ୍ୱାସ ଅଛି, ଦେଶକୁ ତୁମର ଆବଶ୍ୟକତା ଅଛି’: ଜେନ୍-ଜିଙ୍କୁ ମୋଦୀଙ୍କ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଶନିବାର ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦେଶର ଯୁବପିଢ଼ି, ବିଶେଷକରି ଜେନ୍-ଜିଙ୍କ ଭୂମିକା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। “ଆମର ତୁମ ଉପରେ ବିଶ୍ୱାସ ଅଛି, ଦେଶକୁ ତୁମର ଆବଶ୍ୟକତା ଅଛି” ବୋଲି ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ଆଗାମୀ ୩୦ରୁ ୩୫ ବର୍ଷ ମଧ୍ୟରେ ଯୁବମାନଙ୍କ କାର୍ଯ୍ୟ ଓ ନିଷ୍ପତ୍ତି ଦେଶର ବିକାଶ ଯାତ୍ରାକୁ ପ୍ରଭାବିତ କରିବ। ତେଣୁ ପ୍ରତ୍ୟେକ ନିଷ୍ପତ୍ତି ଦେଶର ଆବଶ୍ୟକତା ଓ ହିତକୁ ଦୃଷ୍ଟିରେ ରଖି ନେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଶ୍ୱର ରଣନୈତିକ ସମୀକରଣ ଓ ଶକ୍ତି ସନ୍ତୁଳନ ଦ୍ରୁତ ଗତିରେ ବଦଳୁଛି ଏବଂ ଏହା ପଛରେ ପ୍ରଯୁକ୍ତିର ପ୍ରଗତି ଏକ ମୁଖ୍ୟ କାରଣ। ତେବେ ଆଗାମୀ ୨୦ରୁ ୩୦ ବର୍ଷରେ ବିଶ୍ୱ, ଶିଳ୍ପ ଓ ଚାକିରିର ଚିତ୍ର କିପରି ବଦଳିବ, ତାହା ନିଶ୍ଚିତ ଭାବେ କହିହେବ ନାହିଁ। କିନ୍ତୁ ଯେଉଁମାନେ ନିରନ୍ତର ଶିଖିବା ଜାରି ରଖିବେ, ସେମାନେ ପରିବର୍ତ୍ତିତ ପରିସ୍ଥିତିରେ ସଫଳ ହେବେ ବୋଲି ମୋଦୀ କହିଛନ୍ତି। ସ୍କାଏରୁଟ୍‌ର ବିକ୍ରମ-୧ ରକେଟ୍‌ର ସଫଳ ପ୍ରକ୍ଷେପଣ, ମହାକାଶ ଓ ଡ୍ରୋନ୍‌ କ୍ଷେତ୍ରରେ ଯୁବପିଢ଼ିଙ୍କ ବଢ଼ୁଥିବା ଅବଦାନକୁ ମଧ୍ୟ ସେ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି।

ଯୁବପିଢ଼ିଙ୍କ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗବେଷଣା, ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ଜାତୀୟ ଗବେଷଣା ଫାଉଣ୍ଡେସନ୍‌ ମାଧ୍ୟମରେ ବିଜ୍ଞାନ ଓ ଗବେଷଣାକୁ ନୂଆ ଗତି ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ଗବେଷଣା କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠିର ବ୍ୟବସ୍ଥା ଏବଂ ‘ଏକ ରାଷ୍ଟ୍ର, ଏକ ସବସ୍କ୍ରିପସନ୍’ ପଦକ୍ଷେପ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନର ଗବେଷକମାନଙ୍କୁ ଅନ୍ତର୍ଜାତୀୟ ଗବେଷଣା ପତ୍ରିକା ଉପଲବ୍ଧ କରାଯାଉଥିବା ସେ କହିଛନ୍ତି। ଯୁବପିଢ଼ିଙ୍କ ଜ୍ଞାନ, ନବସୃଜନ ଓ ପ୍ରଯୁକ୍ତିକୁ ଦେଶ ଗଠନରେ ବ୍ୟବହାର କରିବା ହିଁ ବିକଶିତ ଭାରତର ମୁଖ୍ୟ ଆଧାର ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories