Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନା ରାହୁଲ ଯିବେ, ନା ଖଡ଼ଗେ; ନୀତୀଶଙ୍କୁ ବଡ଼ ଝଟକା ଦେଲା କଂଗ୍ରେସ !

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦୃଢ ବିରୋଧୀ ମେଣ୍ଟ ଗଠନ କରିବା ଲାଗି ନିଜର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସେ ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବର୍ତ୍ତମାନ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ। ଗୋଟିଏ ସିଟ୍ ଗୋଟିଏ ପ୍ରାର୍ଥୀ ପ୍ରସ୍ତାବ ଉପରେ ନେତାମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ନେତାଙ୍କୁ ଭେଟିବା ପରେ ଜୁନ ୧୨ରେ ପାଟନାରେ ବିରୋଧୀଙ୍କ ଏକ ବଡ଼ ବୈଠକ ଡକାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କଂଗ୍ରେସ ଆନୁଷ୍ଠାନିକ ଭାବେ ଏମିତି ସମ୍ଭାବନାକୁ ଖଣ୍ଡନ କରିଛି।

କର୍ଣ୍ଣାଟକ ବିଜୟରେ ଉତ୍ସାହିତ କଂଗ୍ରେସ ପାର୍ଟି ସ୍ପଷ୍ଟ ଭାବେ କହି ଦେଇଛି ଯେ, ପାଟନାରେ ହେବାକୁ ଥିବା ବିରୋଧୀଙ୍କ ବୈଠକରେ ନା ରାହୁଲ ଯୋଗ ଦେବେ ନା ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ଼ଗେ। କଂଗ୍ରେସ ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ ଯୋଗ ଦେବା ପାଇଁ ପାଟନା ପଠାଯାଇପାରେ। ଦେଶର ସର୍ବ ପୁରାତନ ପାର୍ଟିର ଏମିତି ପଦକ୍ଷେପ ନୀତୀଶ କୁମାରଙ୍କୁ ବଡ଼ ଝଟକା ଦେଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ନୀତୀଶ କୁମାର ଯେବେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ, ସେହି ସମୟରେ କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଆସିନଥିଲା। ହେଲେ କର୍ଣ୍ଣାଟକରେ ବିଶାଳ ବିଜୟ ପରେ କଂଗ୍ରେସର ଆଭିମୁଖ୍ୟରେ ଅଚାନକ ପରିବର୍ତ୍ତନ ଆସିଛି। ପାର୍ଟିର ଅଧିକାଂଶ ନେତା ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରିବାକୁ ଚାହାନ୍ତି। ଦଳର କହିବା କଥା ଭାରତ ଯୋଡ଼ୋ ଯାତ୍ରା କାରଣରୁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧି ଘଟିଛି ଏବଂ କର୍ଣ୍ଣାଟକ ବିଜୟ ହେଉଛି ଏହାର ପରିଣାମ।

ନୀତୀଶ କୁମାର ବିରୋଧୀ ଏକତାକୁ ନେଇ ଯେତିକି ତରତର ହେଉଛନ୍ତି, କଂଗ୍ରେସ ସେତିକି ଏହି ପ୍ରସଙ୍ଗରେ ଶାନ୍ତ ରହିଛି। ସଂପ୍ରତି ଦଳ ସିଟ୍ ସେୟାରିଂ ଉପରେ ଆଲୋଚନା କରିବା ମୁଡରେ ଅଛି ନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ କୌଣସି ନେତା ଉପରେ ମୋହର ମାରିବାକୁ ଚାହୁଁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ