CJP ଆନ୍ଦୋଳନ ପରେ ରାହୁଲଙ୍କୁ ଶଶୀ ଥରୁରଙ୍କ ‘ରିଆଲିଟି ଚେକ୍’; କହିଲେ- ‘ଜେନ୍-ଜିଙ୍କ ମନ କଥା ଶୁଣିବାରେ ଆମେ ବିଫଳ ହେଲୁ କି?’
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କଂଗ୍ରେସର ରଣନୀତିକୁ ନେଇ ନିଜ ଦଳକୁ ଆତ୍ମସମୀକ୍ଷା କରିବାକୁ କହିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ମୁମ୍ବାଇରେ ଇଣ୍ଟରନ୍ୟାସନାଲ ମୁଭମେଣ୍ଟ ଟୁ ୟୁନାଇଟ୍ ନେସନ୍ସ (IIMUN)ର ୧୫ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଥରୁର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ କି ଗୁଞ୍ଜ’ ଅଭିଯାନରେ ଉଠାଯାଇଥିବା ଅନେକ ପ୍ରସଙ୍ଗ CJP ଆନ୍ଦୋଳନରେ ମଧ୍ୟ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। କିନ୍ତୁ କଂଗ୍ରେସର ଅଭିଯାନ ଯେପରି ଯୁବପିଢ଼ିଙ୍କ ସହ ଯୋଡ଼ି ହୋଇପାରିଲା ନାହିଁ, ସେପରି ପ୍ରତିକ୍ରିୟା CJP ଆନ୍ଦୋଳନକୁ ମିଳିଥିଲା ବୋଲି ସେ ସ୍ୱୀକାର କରିଛନ୍ତି।
ଥରୁର କହିଛନ୍ତି, ଶିକ୍ଷା ବ୍ୟବସ୍ଥାର ସମସ୍ୟା, ପେପର୍ ଲିକ୍, ନିଯୁକ୍ତି ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ କଂଗ୍ରେସ ପୂର୍ବରୁ ଉଠାଇଥିଲା। ତଥାପି ଏହି ପ୍ରସଙ୍ଗଗୁଡ଼ିକ ଯୁବପିଢ଼ିଙ୍କ ମଧ୍ୟରେ ଆଶା କରାଯାଇଥିବା ପ୍ରଭାବ ସୃଷ୍ଟି କରିପାରିଲା ନାହିଁ। ତେଣୁ ଦଳକୁ ନିଜକୁ ପଚାରିବାକୁ ପଡ଼ିବ—ଆମେ କ’ଣ କରିବାରେ ବିଫଳ ହେଲୁ? ଆମେ କ’ଣ ଯୁବପିଢ଼ିଙ୍କ କଥା ଶୁଣିବାରେ ବିଫଳ ହେଲୁ? ଜେନ୍-ଜିଙ୍କ ମନର କଥା ବୁଝିବାରେ ଆମର ‘ଫିଙ୍ଗର ଅନ୍ ଦ ପଲ୍ସ’ ନୀତି କାମ କଲା ନାହିଁ କି? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କେବଳ ସମସ୍ୟା ଚିହ୍ନଟ କରିଦେଲେ ହେବ ନାହିଁ, ଯୁବପିଢ଼ିଙ୍କ ଚିନ୍ତା ଓ ଆକାଂକ୍ଷାକୁ ଏକ ପ୍ରଭାବଶାଳୀ ଆନ୍ଦୋଳନରେ ପରିଣତ କରିବା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।
ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକରେ ଯୁବପିଢ଼ିଙ୍କ ପାଇଁ ରାଜନୀତିରେ ପ୍ରବେଶ ଓ ନେତୃତ୍ୱ ନେବାର ପର୍ଯ୍ୟାପ୍ତ ସୁଯୋଗ ନଥିବା ନେଇ ମଧ୍ୟ ଥରୁର ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଦଳଗୁଡ଼ିକରେ ଦୀର୍ଘଦିନର ନେତୃତ୍ୱ, ପାରିବାରିକ ରାଜନୀତି, ଦଳୀୟ ନେଟୱର୍କ ଓ ଶକ୍ତିର ପୁରୁଣା ଢାଞ୍ଚା ଯୁବମାନଙ୍କ ପାଇଁ ବାଧା ସୃଷ୍ଟି କରୁଛି। ଯୁବମାନଙ୍କୁ କେବଳ ବଡ଼ ନେତାଙ୍କ ପଛରେ ଠିଆ ହେବା, ରାଲିରେ ଭିଡ଼ ବଢ଼ାଇବା କିମ୍ବା ‘ଫୁଟ୍ ସୋଲଜର୍’ ଭଳି କାମ କରିବାରେ ସୀମିତ ରଖିବା ପରିବର୍ତ୍ତେ ନୀତି ନିର୍ଦ୍ଧାରଣ ଓ ନେତୃତ୍ୱରେ ସେମାନଙ୍କୁ ସ୍ଥାନ ଦେବା ଆବଶ୍ୟକ। ଜୁଲାଇ ୨୦ରେ ସଂସଦ ଅଭିମୁଖେ ଯାଉଥିବା CJP ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଥିବା ଥରୁର କହିଛନ୍ତି। ସେ ଜନ୍ତରମନ୍ତର ଯାଇ ଭାଷଣ ଦେବା ପରିବର୍ତ୍ତେ ଯୁବ ଆନ୍ଦୋଳନକାରୀଙ୍କ କଥା ଶୁଣିଥିବା କହିଛନ୍ତି। ଯୁବପିଢ଼ିର ସ୍ୱରକୁ ଅଣଦେଖା କଲେ ଭବିଷ୍ୟତରେ ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକ ଅପ୍ରାସଙ୍ଗିକ ହୋଇପାରନ୍ତି ବୋଲି ଥରୁର ଚେତାବନୀ ଦେଇଛନ୍ତି।

