Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଗଲ୍ ମ୍ୟାପ୍ସରେ ଏବେ ଖାଦ୍ୟ ଅର୍ଡରରୁ ହୋଟେଲ୍ ବୁକିଂ! ଯୋଡିହେଲା ‘ଆସ୍କ ମ୍ୟାପ୍ସ’ ଫିଚର, ହିନ୍ଦୀରେ ମଧ୍ୟ ପଚାରିପାରିବେ ପ୍ରଶ୍ନ

ନୂଆଦିଲ୍ଲୀ: ଗୁଗଲ୍ ମ୍ୟାପ୍ସ ଏବେ କେବଳ ରାସ୍ତା ଦେଖାଇବାରେ ସୀମିତ ରହିନାହିଁ। ଯାତ୍ରୀଙ୍କୁ ଆହୁରି ସୁବିଧା ଦେବା ପାଇଁ ଗୁଗଲ୍ ଏହାର ‘ଆସ୍କ ମ୍ୟାପ୍ସ’ ଫିଚରରେ ଏଆଇ ଆଧାରିତ ନୂଆ ସୁବିଧା ଯୋଡ଼ିଛି। ଏହା ମାଧ୍ୟମରେ ଏବେ ନିଜ ପସନ୍ଦର ଖାଦ୍ୟ ଥିବା ରେଷ୍ଟୁରାଣ୍ଟ ଖୋଜିବା, ଖାଦ୍ୟ ଅର୍ଡର କରିବା, ହୋଟେଲ୍ ଖୋଜିବା ଏବଂ ଯାତ୍ରା ସମୟରେ ନିକଟସ୍ଥ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ସହଜ ହେବ। ଏହି ନୂଆ ଏଆଇ ଫିଚର ୧୫୦ରୁ ଅଧିକ ଦେଶ ଓ ଅଞ୍ଚଳରେ ଉପଲବ୍ଧ ହେଉଛି।

‘ଆସ୍କ ମ୍ୟାପ୍ସ’ରେ ଆପଣ ନିଜ ପସନ୍ଦ ଅନୁସାରେ ପ୍ରଶ୍ନ କରିପାରିବେ। ଉଦାହରଣ ସ୍ୱରୂପ, ରାସ୍ତାରେ ବଟର୍ ଚିକେନ୍ କିମ୍ବା ଛୋଲେ ଭଟୁରେ ଖାଇବାକୁ ଚାହୁଁଥିଲେ, ମ୍ୟାପ୍ସ ସେହି ଖାଦ୍ୟ ମିଳୁଥିବା ରେଷ୍ଟୁରାଣ୍ଟ ଖୋଜିବା ସହ ତାହା ଖୋଲା ଅଛି କି ନାହିଁ ମଧ୍ୟ ଜଣାଇବ। ବ୍ୟବହାରକାରୀଙ୍କ ପସନ୍ଦ, ସେଭ୍ କରିଥିବା ସ୍ଥାନ ଏବଂ ଖାଦ୍ୟ ସମ୍ପର୍କିତ ପସନ୍ଦକୁ ମଧ୍ୟ ବିଚାରକୁ ନେଇ ସୁପାରିସ କରାଯିବ। ଚୟନ କରାଯାଇଥିବା ଖାଦ୍ୟକୁ ସିଧାସଳଖ କାର୍ଟରେ ଯୋଡ଼ିବାର ସୁବିଧା ମଧ୍ୟ ରହିବ। ସେହିପରି ହୋଟେଲ୍ ଖୋଜିବା ସମୟରେ ବଜେଟ୍, ପରିବାର ଅନୁକୂଳ ପରିବେଶ, ସ୍ଥାନ ଓ ରୁମ୍‌ର ଆକାର ଭଳି ଆବଶ୍ୟକତା ଲେଖି ଖୋଜିପାରିବେ। ଏହା ସହ ଲାଇଭ୍ ମୂଲ୍ୟ ଓ ରୁମ୍ ଉପଲବ୍ଧତା ଆଧାରରେ ବିକଳ୍ପ ମଧ୍ୟ ଦେଖାଯିବ।

ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏହି ଅପଡେଟ୍‌ରେ ହିନ୍ଦୀ ଭାଷା ସମର୍ଥନ ମଧ୍ୟ ଯୋଡ଼ାଯାଇଛି। ଏବେ ରେଷ୍ଟୁରାଣ୍ଟ, ପର୍ଯ୍ୟଟନସ୍ଥଳ କିମ୍ବା ଅନ୍ୟ ସ୍ଥାନ ସମ୍ପର୍କରେ ଇଂରାଜୀ ବଦଳରେ ହିନ୍ଦୀରେ ପ୍ରଶ୍ନ କରିପାରିବେ। ଏହା ସହ ‘ପର୍ସନାଲ୍ ଇଣ୍ଟେଲିଜେନ୍ସ’ ନାମକ ଅପ୍ସନାଲ୍ ଫିଚର ମଧ୍ୟ ଆସିଛି, ଯାହା Gmail ଭଳି ସଂଯୁକ୍ତ ଗୁଗଲ୍ ସେବାରୁ ମିଳୁଥିବା ତଥ୍ୟ ଆଧାରରେ ଯାତ୍ରା ସମ୍ପର୍କିତ ସୁପାରିସ ଦେଇପାରିବ। ଏଥିସହ ବସ୍, ମେଟ୍ରୋ, ଟ୍ରେନ୍ ଓ ଫେରି ସେବାର ରିଅଲ୍-ଟାଇମ୍ ଟ୍ରାନ୍ଜିଟ୍ ଅପଡେଟ୍ ମଧ୍ୟ ମିଳିବ। ଫଳରେ ଗୁଗଲ୍ ମ୍ୟାପ୍ସ ଏବେ କେବଳ ନାଭିଗେସନ୍ ଆପ୍ ନୁହେଁ, ବରଂ ଯାତ୍ରା ଯୋଜନାରେ ଏକ ଏଆଇ ସହାୟକ ଭାବେ କାମ କରିବା ଦିଗରେ ଆଗକୁ ବଢ଼ୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories