ବେଙ୍ଗାଲୁରୁର ନାମୀ ହୋଟେଲରେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ: ମିଳିଲା ପଚା ପରିବା, ସମେତ ପୁରୁଣା କ୍ଷୀର ଓ ମାଂସ!
ବେଙ୍ଗାଲୁରୁ: ବେଙ୍ଗାଲୁରୁର ନାମୀଦାମୀ ଫାଇଭ୍ ଷ୍ଟାର ହୋଟେଲ ଓ ରିସର୍ଟରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନର ଅଭିଯୋଗ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗର ୩୦ଟି ଟିମ୍ ବେଙ୍ଗାଲୁରୁର ୨୬ଟି ତିନି ଓ ପାଞ୍ଚ ତାରକା ହୋଟେଲରେ ଚଢ଼ାଉ କରିଥିଲେ। ଯାଞ୍ଚ ସମୟରେ ଅସ୍ୱାସ୍ଥ୍ୟକର ରୋଷେଇ ଘର ଓ ଷ୍ଟୋର ରୁମ୍, ମିଆଦ ପୁରୁଣା ଖାଦ୍ୟ, ପରିବାରେ ଫଙ୍ଗସ୍, ଖାଦ୍ୟ ପରିଚାଳନାରେ ଅବହେଳା ଏବଂ ଏଫ୍ଏସ୍ଏସ୍ଏଆଇ ଲେବଲିଂ ନିୟମ ଉଲ୍ଲଂଘନ ଭଳି ଅନିୟମିତତା ଚିହ୍ନଟ ହୋଇଛି। ଏହି ଯାଞ୍ଚରେ ଚିକେନ୍, ମଟନ୍, ମାଛ, କ୍ଷୀର, ତେଲ, ମସଲା, ପନିର ଓ ଅନ୍ୟାନ୍ୟ ଖାଦ୍ୟର ୩୫ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯାଇଛି।
ଚଢ଼ାଉ ସମୟରେ ଦ ଲଲିତ ଅଶୋକରୁ ୭୬ କିଲୋ ମାଂସ, ୨୦୦ କିଲୋ ପରିବା ଓ ୩୨ ଲିଟର ମିଆଦ ପୁରୁଣା କ୍ଷୀର ଜବତ କରି ନଷ୍ଟ କରାଯାଇଛି। ଶାଙ୍ଗ୍ରି-ଲା ବେଙ୍ଗାଲୁରୁରୁ ୧୫ କିଲୋ ମାଂସ, ଫୋର୍ ସିଜନ୍ସ ହୋଟେଲରୁ ୧୯ କିଲୋ ମାଂସ, ଭିଭାନ୍ତା ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡରୁ ୩ କିଲୋ ମିଆଦ ପୁରୁଣା ବେକେରୀ ଉତ୍ପାଦ ଏବଂ ତାଜ୍ ଯଶବନ୍ତପୁରରୁ ୭୨ କିଲୋ ମାଂସ ଓ ମାଛ ଜବତ ହୋଇଛି। ସବୁଠାରୁ ଅଧିକ ୧୦୫ କିଲୋ ମିଆଦ ପୁରୁଣା ଖାଦ୍ୟ ରାଡିସନ୍ ବ୍ଲୁ (ଦ ଆଟ୍ରିଆ)ରୁ ଜବତ ହୋଇଥିବା ବେଳେ ଏଥିରେ ୫୦ କିଲୋ ଚିକେନ୍, ୨୫ କିଲୋ ମାଂସ, ୨୩ କିଲୋ ମାଛ ଓ ୭ କିଲୋ ପରିବା ରହିଥିଲା। ଯାଞ୍ଚ ପରେ ସମ୍ପୃକ୍ତ ହୋଟେଲଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି।
ଏହି ଚଢ଼ାଉ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ୟୁ.ଟି. ଖାଦର କହିଛନ୍ତି ଯେ, ବଡ଼ ହୋଟେଲ ହେଉ କି ଛୋଟ ଖାଦ୍ୟ ପ୍ରତିଷ୍ଠାନ, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାକୁ ପଡ଼ିବ। ତେବେ ତାଜ୍ ଯଶବନ୍ତପୁର ପକ୍ଷରୁ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଜବତ ହୋଇଥିବା ଆମଦାନୀ ମାଂସର ମିଆଦ ଦୁଇ ବର୍ଷ ଥିବାରୁ ତାହା ମିଆଦ ପୁରୁଣା ନୁହେଁ ଏବଂ ହୋଟେଲରେ କୌଣସି ଏକ୍ସପାୟର୍ଡ ଉତ୍ପାଦ ମିଳିନଥିଲା। ଅନ୍ୟପକ୍ଷରେ, ଖାଦ୍ୟ ସୁରକ୍ଷା ବିଭାଗ କହିଛି ଯେ ଲାବରେଟୋରି ରିପୋର୍ଟ ଓ ଯାଞ୍ଚରେ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।

