ଫୁକେଟ- ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ତଳକୁ ଖସିପଡିବା ଘଟଣା : ‘ପାଇଲଟ୍ ନିଶାସକ୍ତ ଥିବା ଅଭିଯୋଗ କଲେ ଯାତ୍ରୀ
ନୂଆଦିଲ୍ଲୀ: ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇ ପ୍ରାୟ ୩୦୦ ଫୁଟ୍ ଉଚ୍ଚତା ହରାଇବା ଘଟଣାକୁ ନେଇ ଏବେ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଅଗଷ୍ଟ ୪ରେ ଘଟିଥିବା ଏହି ଘଟଣାରେ ଅତି କମ୍ରେ ୧୭ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ବିମାନର ଜଣେ ପାଇଲଟ୍ ନିଶାଗ୍ରସ୍ତ ଥିବା ଭଳି ଲାଗୁଥିଲେ ବୋଲି ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଜୟପୁରର ଯାତ୍ରୀ ଶ୍ରୀକାନ୍ତ ଝା କହିଛନ୍ତି ଯେ, ପାଇଲଟଙ୍କ ଚାଲିବା ଓ କଥାବାର୍ତ୍ତା ତାଙ୍କୁ ସ୍ୱାଭାବିକ ଲାଗିନଥିଲା। ଅନ୍ୟ ଜଣେ ଯାତ୍ରୀ ରେଣୁ ରାଣୀୱାଲା ମଧ୍ୟ ଦାବି କରିଛନ୍ତି ଯେ, ବିମାନ ଭିତରେ ଜଣେ ଯାତ୍ରୀ ପାଇଲଟ୍ ଠିକ୍ ଭାବେ ଚାଲୁନଥିବା କଥା କହିଥିଲେ।
ଘଟଣା ପରେ ଉଭୟ ପାଇଲଟଙ୍କର ନିୟମ ଅନୁସାରେ ସାଇକୋଆକ୍ଟିଭ୍ ସବ୍ଷ୍ଟାନ୍ସ ସ୍କ୍ରିନିଂ କରାଯାଇଥିଲା। ଏଥିରେ ପାଇଲଟ୍-ଇନ୍-କମାଣ୍ଡଙ୍କ ନମୁନାରେ ଅଧିକ ଯାଞ୍ଚର ଆବଶ୍ୟକତା ଥିବାରୁ ଏହାକୁ ନିଶ୍ଚିତକରଣ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ପଠାଯାଇଛି। ତେବେ ଅନ୍ତିମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ। ଘଟଣାକୁ ଏକ ‘ସିରିଅସ୍ ଇନ୍ସିଡେଣ୍ଟ’ ଭାବେ ଚିହ୍ନଟ କରାଯାଇ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ (AAIB) ପକ୍ଷରୁ ତଦନ୍ତ କରାଯାଉଛି। ତଦନ୍ତ ଚାଲିଥିବାରୁ DGCA ଉଭୟ ପାଇଲଟଙ୍କୁ ଡି-ରୋଷ୍ଟର କରିଛି।
ବିମାନରେ ମୋଟ ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ କ୍ରୁ ସଦସ୍ୟ ଥିଲେ। ତୁର୍ବୁଲେନ୍ସ ସମୟରେ ୪ ଜଣ କ୍ୟାବିନ୍ କ୍ରୁଙ୍କ ସମେତ ୧୭ ଜଣ ଆହତ ହୋଇଥିଲେ। ଜଣେ ଯାତ୍ରୀ ତାଙ୍କ ନାତିଙ୍କୁ ବଞ୍ଚାଇବା ସମୟରେ ନିଜେ ଆହତ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ, ବିମାନ ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିବା ପରେ ଯାତ୍ରୀଙ୍କୁ ଠିକ୍ ସମୟରେ ସହାୟତା ମିଳିନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏୟାର ଇଣ୍ଡିଆ କହିଛି ଯେ, ପାଇଲଟଙ୍କ ଘଟଣା ପରବର୍ତ୍ତୀ ସ୍କ୍ରିନିଂ ହୋଇଥିବା ସମ୍ପର୍କରେ ସେମାନେ ଅବଗତ ଅଛନ୍ତି, କିନ୍ତୁ ପରୀକ୍ଷାର ଫଳାଫଳ ଏୟାରଲାଇନ୍ସକୁ ଦିଆଯାଇନଥିବାରୁ ଏହା ଉପରେ କୌଣସି ସୂଚନା ସାର୍ବଜନୀନ ହୋଇନାହିଁ । ତେବେ ଅନ୍ତିମ ପରୀକ୍ଷା ରିପୋର୍ଟ ଓ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସ୍ପଷ୍ଟ ହେବ।

