Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁ ବିଧାନସଭାରେ ଐତିହାସିକ ପ୍ରସ୍ତାବକୁ ମଞ୍ଜୁରୀ! ରାଜ୍ୟଗୀତ ‘ତାମିଲ ଥାଇ ବାଜଥୁ’କୁ ପ୍ରଥମେ ଗାନ ପାଇଁ ସବୁ ଦଳ ଏକମତ

ତାମିଲନାଡୁ: ତାମିଲନାଡୁ ବିଧାନସଭାରେ ରାଜ୍ୟଗୀତ ‘ତାମିଲ ଥାଇ ବାଜଥୁ’କୁ ନେଇ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏହି ପ୍ରସ୍ତାବ ଆଣିଥିଲେ। ଏହା ଅନୁସାରେ ତାମିଲନାଡୁର ସମସ୍ତ ସରକାରୀ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ଉଦ୍ୟୋଗରେ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ପ୍ରଥମେ ରାଜ୍ୟଗୀତ ଗାନ କରାଯିବ। ଡିଏମ୍‌କେ ଓ ଏଆଇଏଡିଏମ୍‌କେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

ବିଧାନସଭାରେ ଭାଷଣ ଦେଇ ବିଜୟ କହିଛନ୍ତି ଯେ, ତାମିଲ କେବଳ ଏକ ଭାଷା ନୁହେଁ, ଏହା ତାମିଲନାଡୁବାସୀଙ୍କ ଜୀବନଧାରା ଓ ଭାବନା ସହ ଜଡ଼ିତ। ରାଜ୍ୟର ଭାଷା ଓ ସାଂସ୍କୃତିକ ଅଧିକାର ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସେ କହିଛନ୍ତି। ‘ତାମିଲ ଥାଇ ବାଜଥୁ’କୁ ରାଜ୍ୟରେ ପ୍ରଥମ ସ୍ଥାନ ଦେବା ତାମିଲନାଡୁର ଅଧିକାର ବୋଲି ବିଜୟ ଦୃଢ଼ ଭାବେ କହିଛନ୍ତି। ବିଧାନସଭା ବାଚସ୍ପତି ଜେସିଡି ପ୍ରଭାକର ପ୍ରସ୍ତାବଟି ପାରିତ ହୋଇଥିବା ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ବନ୍ଦେ ମାତରମ୍‌କୁ ପ୍ରଥମେ ଗାନ କରିବା ସମ୍ପର୍କିତ ନିର୍ଦ୍ଦେଶକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦକୁ ଆହୁରି ଚର୍ଚ୍ଚାକୁ ଆଣିଛି। ଜାନୁଆରୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସରକାରୀ କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଏବଂ ପରେ ଜାତୀୟ ସଙ୍ଗୀତ ଗାନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଜୁଲାଇରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ତେବେ ତାମିଲନାଡୁରେ ୧୯୭୦ ମସିହାରୁ ସରକାରୀ କାର୍ଯ୍ୟକ୍ରମରେ ‘ତାମିଲ ଥାଇ ବାଜଥୁ’ ଗାନର ପରମ୍ପରା ରହିଛି। ୨୦୨୧ରେ ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟଗୀତର ମାନ୍ୟତା ମିଳିଥିଲା। ସମ୍ପ୍ରତି କିଛି କାର୍ଯ୍ୟକ୍ରମରେ ରାଜ୍ୟଗୀତକୁ ତୃତୀୟ ସ୍ଥାନରେ ରଖାଯିବା ପରେ ବିବାଦ ଦେଖାଦେଇଥିଲା। ଏହା ପରେ ତାମିଲନାଡୁର ୨୧ ଜଣ ସାଂସଦ ମଧ୍ୟ ରାଜ୍ୟଗୀତକୁ ପ୍ରଥମେ ଗାନ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ