ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୨ ତୀବ୍ରତାର ଭୂମିକମ୍ପ, ଭୟରେ ଘରୁ ବାହାରିଲେ ଲୋକେ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୋମବାର ଭୋରରୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ରାତି ୧ଟା ୨୧ ମିନିଟ୍ରେ ଏହି ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାରକୋଟ ତହସିଲର ରାଜଗଡ଼ି ଅଞ୍ଚଳ ନିକଟରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି।
ଭୂମିକମ୍ପର ଝଟକା ୟମୁନା ଉପତ୍ୟକାର ବିଭିନ୍ନ ଅଞ୍ଚଳ ସମେତ ଉତ୍ତରକାଶୀ, ବାରକୋଟ, ପୁରୋଲା, ମୋରି, ଚିନ୍ୟାଲିସୌର ଏବଂ ଡୁଣ୍ଡାରେ ମଧ୍ୟ ଅନୁଭୂତ ହୋଇଥିଲା। ହଠାତ୍ ଭୂମିକମ୍ପ ଝଟକା ଅନୁଭବ ହେବା ପରେ ଭୟଭୀତ ହୋଇ ଅନେକ ଲୋକ ଘର ଓ କୋଠାରୁ ବାହାରକୁ ଚାଲିଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ଖବର ମିଳିନାହିଁ।
ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ତହସିଲଦାର, ପୁଲିସ ଥାନା ଓ ଫାଣ୍ଡି ଅଧିକାରୀ, ରାଜସ୍ୱ ନିରୀକ୍ଷକ ଏବଂ ଗ୍ରାମ ମୁଖିଆଙ୍କଠାରୁ ସ୍ଥିତି ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଛି। ଅଧିକାରୀମାନଙ୍କ ଅନୁସାରେ, ଏପର୍ଯ୍ୟନ୍ତ କୌଣସି ବଡ଼ଧରଣର କ୍ଷୟକ୍ଷତିର ମଧ୍ୟ ଖବର ମିଳିନାହିଁ। ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।

