ପଞ୍ଜାବରେ ISIକୁ ସମର୍ଥନ କରୁଥିବା ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ, ଜାଲନ୍ଧରରୁ ମୁଖ୍ୟ ଅଭିଯୁକ୍ତ ଗିରଫ!
ପଞ୍ଜାବ: ପଞ୍ଜାବ ପୁଲିସ ଏକ ISI ସମର୍ଥିତ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ (BKI) ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ କରି ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଣ୍ଟର ଇଣ୍ଟେଲିଜେନ୍ସ ଜାଲନ୍ଧର ଓ ଏସ୍ବିଏସ୍ ନଗର ପୁଲିସର ମିଳିତ ଅଭିଯାନରେ ଏହି ସଫଳତା ମିଳିଥିବା ପଞ୍ଜାବ ପୁଲିସ ଡିଜିପି ଗୌରବ ଯାଦବ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଏକ ୮୬-ପି ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଥିବା ବେଳେ ଏହା ମାଧ୍ୟମରେ ଏକ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରାଯାଇଥିବା ପୁଲିସ କହିଛି।
ପ୍ରାଥମିକ ତଦନ୍ତ ଅନୁଯାୟୀ, ବିଦେଶରେ ଥିବା ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ଜାଲନ୍ଧରର ଆଦମପୁର ନିକଟ ଏକ ‘ଡେଡ୍ ଲେଟର ବକ୍ସ’ (DLB)ରୁ ଗ୍ରେନେଡ୍ ସଂଗ୍ରହ କରିଥିଲେ। DLB ହେଉଛି ଏକ ଗୁପ୍ତ ଯୋଗାଯୋଗ ଓ ସାମଗ୍ରୀ ଆଦାନପ୍ରଦାନ ପ୍ରଣାଳୀ, ଯାହାକୁ ଆତଙ୍କୀ ସଂଗଠନ କିମ୍ବା ଅପରାଧୀ ନେଟୱର୍କ ସାମ୍ନାସାମ୍ନି ନହୋଇ ନିର୍ଦ୍ଦେଶ, ଅସ୍ତ୍ର କିମ୍ବା ଅନ୍ୟ ସାମଗ୍ରୀ ଆଦାନପ୍ରଦାନ ପାଇଁ ବ୍ୟବହାର କରିଥାନ୍ତି। ଏହି ଘଟଣାରେ ଏସ୍ବିଏସ୍ ନଗରର ସଦର ନୱାନଶହର ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଓ ବିସ୍ଫୋରକ ପଦାର୍ଥ ଆଇନର ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଛି।
ଏବେ ପୁଲିସ ଏହି ମଡ୍ୟୁଲ୍ର ବିସ୍ତୃତ ନେଟୱର୍କ ଓ ବିଦେଶରେ ଥିବା କଥିତ ହ୍ୟାଣ୍ଡଲରମାନଙ୍କ ସମ୍ପର୍କରେ ତଦନ୍ତ କରୁଛି। ଏହା ସହିତ ମଡ୍ୟୁଲ୍କୁ ସ୍ଥାନୀୟ ସ୍ତରରେ କିଏ ସହଯୋଗ କରୁଥିଲା ଏବଂ ଏହାର ଆଗପଛ ଲିଙ୍କ୍ କେଉଁଠାକୁ ରହିଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି। ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ପୂର୍ବରୁ ଏହି ମଡ୍ୟୁଲ୍ର ପର୍ଦ୍ଦାଫାସ ହେବାକୁ ପଞ୍ଜାବ ପୁଲିସର ବଡ଼ ସଫଳତା ଭାବେ ଦେଖାଯାଉଛି।

