Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୧୨ ବର୍ଷ ଧରି ପୁଲିସକୁ ଚକମା ଦେଉଥିଲା ଅଭିଯୁକ୍ତ; ମୋବାଇଲ ଟ୍ରାକିଂରୁ ତାମିଲନାଡୁରୁ ଧରାପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲିଆତି ମାମଲାରେ ଜଡ଼ିତ ହୋଇ ୧୨ ବର୍ଷ ଧରି ଫେରାର ଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ତାମିଲନାଡୁରୁ ଗିରଫ କରିଛି ଦିଲ୍ଲୀ ପୁଲିସ। ମାନୋହରନ କନ୍ଧସାମୀ ନାମକ ଏହି ଅଭିଯୁକ୍ତ ନାମକଲ ଜିଲ୍ଲାର ତିରୁଚେଙ୍ଗୋଡେ ଅଞ୍ଚଳରେ ନୂଆ ପରିଚୟରେ ରହି କୁକୁଡ଼ା ଚାଷ ବ୍ୟବସାୟ କରୁଥିଲେ। ତାଙ୍କ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଅଗଷ୍ଟ ୪ ତାରିଖରେ ଏକ ଗୋଦାମ ନିକଟରୁ ତାଙ୍କୁ ଧରିଥିଲା ପୁଲିସ।

୨୦୦୭ରେ ଦିଲ୍ଲୀର ମନ୍ଦିର ମାର୍ଗ ଥାନାରେ ଏକ ଚୋରି ଅଭିଯୋଗରୁ ମାମଲାର ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ କନ୍ଧସାମୀଙ୍କ ନିକଟରୁ ବିଭିନ୍ନ ରାଜନୈତିକ ଦଳ ଓ ସରକାରୀ କର୍ତ୍ତୃପକ୍ଷଙ୍କ ନାମରେ ଥିବା ଅନେକ ଛପା ଓ ଖାଲି ଲେଟରହେଡ୍ ମିଳିଥିଲା। ପରବର୍ତ୍ତୀ ଯାଞ୍ଚରେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିବା ପରେ ୨୦୦୮ରେ ତାଙ୍କ ବିରୋଧରେ ପୃଥକ ଜାଲିଆତି ମାମଲା ରୁଜୁ ହୋଇଥିଲା। ଗିରଫ ପରେ ସେ ପ୍ରାୟ ଏକ ମାସ ଜେଲରେ ରହିଥିଲେ। ଜାମିନରେ ମୁକୁଳିବା ପରେ ସେ ଆଉ କୋର୍ଟରେ ହାଜର ହୋଇନଥିଲେ ଏବଂ ଫେରାର ହୋଇଯାଇଥିଲେ। ୨୦୧୪ରେ ଅଦାଲତ ତାଙ୍କୁ ଘୋଷିତ ଅପରାଧୀ ଘୋଷଣା କରିବା ସହ ତାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ଦୀର୍ଘ ବର୍ଷ ପରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲା ହାତକୁ ନେଇ ଇଲେକ୍ଟ୍ରୋନିକ୍ ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀମାନେ ତାମିଲନାଡୁରେ କନ୍ଧସାମୀ ବ୍ୟବହାର କରୁଥିବା ଏକ ମୋବାଇଲ ନମ୍ବର ଚିହ୍ନଟ କରିଥିଲେ। ଏହାପରେ ଏକ ମାସରୁ ଅଧିକ ସମୟ ଧରି ଟେକ୍ନିକାଲ ସର୍ଭିଲାନ୍ସ ଓ ଫିଲ୍ଡ ଭେରିଫିକେସନ୍ ପରେ ତାଙ୍କ ଠିକଣା ଠାବ କରାଯାଇଥିଲା। ପୁଲିସ ପଚରାଉଚରାରେ ସେ ଜାମିନ ପରେ ଦଣ୍ଡ ଓ ଜେଲ ଭୟରେ ଫେରାର ହୋଇଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ପରେ ସେ ପୁରୁଣା ପରିଚିତଙ୍କ ସହ ସମ୍ପର୍କ ଛିନ୍ନ କରି ପରିବାର ସହ ତାମିଲନାଡୁରେ ରହିବା ସହ କୁକୁଡ଼ା ଚାଷକୁ ଜୀବିକାର ମାଧ୍ୟମ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories