ଝାଡ଼ଖଣ୍ଡରେ ଜୋର ଧରିଲା ଛାତ୍ର ଆନ୍ଦୋଳନ! ପୁଲିସ-ଛାତ୍ର ମୁହାଁମୁହିଁ; ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ଓ ଲାଠିଚାର୍ଜ ଆରମ୍ଭ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ସୋମବାର ଉଗ୍ର ରୂପ ନେଇଛି। ବିଧାନସଭା ଘେରାଉ ପାଇଁ ହଜାର ହଜାର ଚାକିରି ଆଶାୟୀ ରାଞ୍ଚିରେ ଏକାଠି ହୋଇଥିବା ବେଳେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ୍ ଓ ଲାଠିଚାର୍ଜର ଆଶ୍ରୟ ନେଇଥିଲା। କିଛି ଆନ୍ଦୋଳନକାରୀ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ଟା ୩୦ରେ ପୁରୁଣା ବିଧାନସଭା ଭବନ ନିକଟରୁ ଛାତ୍ରମାନଙ୍କ ମାର୍ଚ୍ଚ ଆରମ୍ଭ ହୋଇଥିଲା। ବର୍ତ୍ତମାନର ବିଧାନସଭା ପରିସର ଆଡ଼କୁ ଯିବା ସମୟରେ ସେମାନେ ଗୋଟିଏ ପରେ ଗୋଟିଏ ବ୍ୟାରିକେଡ୍ ଅତିକ୍ରମ କରିଥିଲେ। ଜଗନ୍ନାଥପୁର ମନ୍ଦିର ନିକଟରେ ଥିବା ଶେଷ ବ୍ୟାରିକେଡ୍ ନିକଟରେ ପୁଲିସ ପାଣି ତୋପ ଚଳାଇଥିଲା। ପ୍ରଥମେ କିଛି ଛାତ୍ର ପାଣିର ଧାରା ସାମ୍ନାରେ ଜାତୀୟ ପତାକା ଧରି ନାଚିଥିବା ଦେଖାଯାଇଥିଲା। କିନ୍ତୁ ସେମାନେ ବିଧାନସଭା ଆଡ଼କୁ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ବିଧାନସଭାଠାରୁ ପ୍ରାୟ ୨୦୦ ମିଟର ଦୂରରେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ସେଲ୍ ଛାଡ଼ିଥିଲା।
ଆନ୍ଦୋଳନକାରୀମାନେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ଏବଂ ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ (JSSC)ର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ସଂସ୍କାର, ଅନେକ ପରୀକ୍ଷା ବାତିଲ ଏବଂ ଅନିୟମିତତାର ସ୍ୱାଧୀନ ତଦନ୍ତ ଦାବି କରୁଛନ୍ତି। ସେମାନେ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଏକ କମିଟି ଦ୍ୱାରା ତଦନ୍ତ ଦାବି କରିଛନ୍ତି। ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, ସରକାର ୧୩ଟି ପରୀକ୍ଷା ମଧ୍ୟରୁ କେବଳ ୩ଟି ବାତିଲ କରିବାକୁ ସହମତ ହୋଇଛନ୍ତି। ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ନାଥ ମାହତୋ ୯ ଦିନ ଧରି ଅନଶନରେ ଥିବା ସତ୍ତ୍ୱେ ଆମ୍ବୁଲାନ୍ସ ଯୋଗେ ଆନ୍ଦୋଳନସ୍ଥଳରେ ପହଞ୍ଚି ଷ୍ଟ୍ରେଚରରେ ବସି ବିକ୍ଷୋଭରେ ସାମିଲ ହୋଇଥିଲେ। ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

