ଝାଡ଼ଖଣ୍ଡରେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟବ୍ୟାପୀ ବିଜେପିର ବନ୍ଦ ଡାକରା! ଟାୟାର ଜାଳି ରାସ୍ତା ଅବରୋଧ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଏବେ ରାଜନୈତିକ ରୂପ ନେଇଛି। ସୋମବାର ବିଧାନସଭା ଘେରାଉ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଓ ପାଣି କାନନ୍ ବ୍ୟବହାର କରିଥିବା ଅଭିଯୋଗ ପରେ ମଙ୍ଗଳବାର ରାଜ୍ୟବ୍ୟାପୀ ବନ୍ଦ ଡାକିଛି ଝାଡ଼ଖଣ୍ଡ ବିଜେପି। ରାଞ୍ଚିର ବିଭିନ୍ନ ଅଞ୍ଚଳରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଫଳରେ ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହୋଇଛି।
ପୁଲିସ ସୂଚନା ଅନୁସାରେ, କାଙ୍କେ ରୋଡ୍ର CMPDI ଗେଟ୍, କିଶୋରଗଞ୍ଜ, ଅର୍ଗୋରା ଓ କାଙ୍କେ ଅଞ୍ଚଳରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଥିଲେ। ନ୍ୟୁକ୍ଲିୟସ୍ ମଲ୍, ହରମୁ ଛକ ଓ କିଶୋରଗଞ୍ଜ ଛକ ନିକଟରେ ଟାୟାର ଜାଳିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଥିବା ବେଳେ ରାଞ୍ଚି ସମେତ ରାଜ୍ୟର ଅନେକ ସ୍ଥାନରେ ସ୍କୁଲ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାନବାହନ ଚଳାଚଳ ମଧ୍ୟ ତୁଳନାମୂଳକ ଭାବେ କମ୍ ରହିଥିଲା। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ରାଜ୍ୟ ସଭାପତି ଆଦିତ୍ୟ ସାହୁ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ‘ଅତ୍ୟାଚାର’ ବୋଲି ବର୍ଣ୍ଣନା କରି ଜେଏମ୍ଏମ୍ ନେତୃତ୍ୱାଧୀନ ସରକାର ଛାତ୍ରଙ୍କ ସମସ୍ୟାର ସମାଧାନ କରିବା ବଦଳରେ ବଳ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ର ନେତାମାନେ ନିଜ ଆନ୍ଦୋଳନକୁ କୌଣସି ରାଜନୈତିକ ଦଳ ସହ ଯୋଡ଼ିବାକୁ ମନା କରିଛନ୍ତି। ଛାତ୍ର ନେତା ପୀୟୂଷ କହିଛନ୍ତି, ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନ ସେମାନଙ୍କ ଦାବିକୁ ସମର୍ଥନ କଲେ ସେମାନେ ତାହାକୁ ସ୍ୱାଗତ କରିବେ, କିନ୍ତୁ ଛାତ୍ରମାନଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ଜେପିଏସ୍ସି ଓ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା, ପେପର ଲିକ୍, ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ଏକାଧିକ ପରୀକ୍ଷା ବାତିଲ ଏବଂ ସ୍ୱାଧୀନ ତଦନ୍ତ ଦାବିରେ ଛାତ୍ରମାନେ ଜୁଲାଇ ୨୫ରୁ ଆନ୍ଦୋଳନ କରୁଛନ୍ତି। ସେମାନେ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ୱାରା ତଦନ୍ତ ଦାବି କରୁଛନ୍ତି। ସୋମବାର ବିଧାନସଭା ଘେରାଉ ବେଳେ ହଜାର ହଜାର ପରୀକ୍ଷାର୍ଥୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ପୁଲିସ ସେମାନଙ୍କୁ ରୋକିବା ପାଇଁ ଲୁହବୁହା ଗ୍ୟାସ, ପାଣି କାନନ୍ ଓ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ କିଛି ଛାତ୍ର ଆହତ ହୋଇଥିବା ଦାବି କରିଥିବା ବେଳେ ରାଞ୍ଚି ପୁଲିସର ୧୪ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିବା କହିଛି। ନଅ ଦିନ ଧରି ଅନଶନରେ ଥିବା ଛାତ୍ର ନେତା ଦେବେନ୍ଦ୍ର ନାଥ ମାହତୋଙ୍କୁ ଷ୍ଟ୍ରେଚରରେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମଗ୍ର ଘଟଣାକୁ ନେଇ ରାଜ୍ୟରେ ସରକାର ଓ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ତଣାତଣି ଜାରି ରହିଛି।

