ଦୁଇ ବର୍ଷ ପରେ ଅଦାନୀଙ୍କୁ ଆଶ୍ବସ୍ତି, ଆମେରିକା କୋର୍ଟରେ ଖାରଜ ହେଲା ମାମଲା
ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଆଶ୍ୱସ୍ତି ମିଳିଛି। ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାନୀ ଏବଂ ପୂର୍ବତନ ସିଇଓ ବିନୀତ ଜୈନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ଆମେରିକାର ଏକ ଅଦାଲତ ସ୍ଥାୟୀ ଭାବେ ଖାରଜ କରିଦେଇଛନ୍ତି। ନ୍ୟୁୟର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଆମେରିକୀୟ ଜିଲ୍ଲା ଅଦାଲତର ବିଚାରପତି ନିକୋଲାସ ଗାରୋଫିସ୍ ଆମେରିକାର ଜଷ୍ଟିସ୍ ବିଭାଗର ଆବେଦନକୁ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି। ଏହା ସହ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଲାଞ୍ଚ ଓ ଜାଲିଆତି ଅଭିଯୋଗ ସମ୍ପର୍କିତ ମାମଲାର ଅନ୍ତ ଘଟିଛି।
ସୂଚନା ଅନୁସାରେ, ୨୦୨୪ ନଭେମ୍ବରରେ ଆମେରିକାରେ ଅଦାନୀ ଗ୍ରୁପ୍ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା। ସୌରଶକ୍ତି ସମ୍ପର୍କିତ ଚୁକ୍ତି ହାସଲ କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ପ୍ରାୟ ୨୫୦ ନିୟୁତ ଡଲାର ଲାଞ୍ଚ ଦେବା ସହ ନିବେଶକଙ୍କୁ ଭ୍ରମିତ କରିବା ଭଳି ଅଭିଯୋଗ ହୋଇଥିଲା। ତେବେ ଅଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲା। ମାମଲା ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟାରେ ରହିଥିଲା।
କୋର୍ଟଙ୍କ ରାୟ ପରେ ଗୌତମ ଅଦାନୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ସତ୍ୟ, ନ୍ୟାୟ ଏବଂ ଆଇନ ଉପରେ ନିଜର ବିଶ୍ୱାସ ଅକ୍ଷୁଣ୍ଣ ରହିଥିବା କହିବା ସହ ଏହି ସମୟରେ ସମର୍ଥନ ଦେଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା କୋର୍ଟଙ୍କ ଏହି ରାୟ ଅଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ଭାବେ ଦେଖାଯାଉଛି।

