Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକଙ୍କ ଘରେ ଇଡି ରେଡ! ୧ କୋଟିରୁ ଅଧିକ ନଗଦ ଜବତ; ୨ ହଜାର କୋଟିର ଚିଟ୍‌ଫଣ୍ଡ ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ଆନ୍ଧ୍ରପ୍ରଦେଶ: ୨ ହଜାର କୋଟି ଟଙ୍କାର ବହୁରାଜ୍ୟୀୟ ଚିଟ୍‌ଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ମାମଲା ସହ ଜଡ଼ିତ ୱେଲଫେୟାର ବିଲ୍ଡିଂସ୍ ଆଣ୍ଡ ଇଷ୍ଟେଟ୍ସ ପ୍ରାଇଭେଟ୍ ଲିମିଟେଡ୍ (WBEPL) ଓ ଏହାର ନିର୍ଦ୍ଦେଶକମାନଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରିଛି ଇଡ଼ି । ଏହି ଚଢ଼ାଉରେ ୧ କୋଟି ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଜବତ ହୋଇଥିବା ବେଳେ ୧୮୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଏହାସହ ୬ଟି ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ଜବତ କରାଯାଇଛି।

ED ପକ୍ଷରୁ ଜାରି ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରେ ଭୁବନେଶ୍ୱର ଜୋନାଲ୍ ଅଫିସ୍ ପକ୍ଷରୁ PMLA, ୨୦୦୨ ଅଧୀନରେ ବିଶାଖାପାଟଣା ଓ ହାଇଦ୍ରାବାଦରେ ଥିବା ୫ଟି ସ୍ଥାନରେ ତଲାସି କରାଯାଇଥିଲା। ଏହି ସ୍ଥାନଗୁଡ଼ିକ ପୂର୍ବତନ ଆନ୍ଧ୍ରପ୍ରଦେଶ ବିଧାୟକ ମାଲ୍ଲା ବିଜୟ ପ୍ରସାଦ, ବରାହ ରାମକୃଷ୍ଣ ସତ୍ୟ ଶ୍ରୀନିବାସ ରାଓ ଆଲ୍ଲା ଓ ଅନ୍ୟମାନଙ୍କ ସହ ଜଡ଼ିତ ବୋଲି ED କହିଛି। ଚଢ଼ାଉ ସମୟରେ ନଗଦ ଟଙ୍କା ସହ WBEPL, ଏହାର ନିର୍ଦ୍ଦେଶକ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ବିଭିନ୍ନ ସମ୍ପତ୍ତି କାଗଜପତ୍ର, ଡିଜିଟାଲ୍ ଡିଭାଇସ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଏହାସହ ୧୮୨ଟି ବ୍ୟାଙ୍କ ଖାତା ଫ୍ରିଜ୍ କରିବା ସହ ୬ଟି ଦାମୀ ଗାଡ଼ି ଜବତ କରିଛି ED।

ତଦନ୍ତ ସମୟରେ ED ଜାଣିବାକୁ ପାଇଥିବା ଦାବି କରିଛି ଯେ, WBEPLର ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକ ବିଭିନ୍ନ ଯୋଜନା ମାଧ୍ୟମରେ ହଜାର ହଜାର ନିବେଶକଙ୍କଠାରୁ ୨ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ସମେତ ଏକାଧିକ ରାଜ୍ୟର ନିବେଶକଙ୍କୁ ବିଶାଖାପାଟଣାରେ ଜମି ଦେବାର ପ୍ରତିଶ୍ରୁତି ଦେଇ ଏହି ଟଙ୍କା ସଂଗ୍ରହ କରାଯାଇଥିବା ତଦନ୍ତକାରୀ ସଂସ୍ଥା କହିଛି। ପରେ କମ୍ପାନୀ ଏକାଧିକ ରାଜ୍ୟରେ ଥିବା ଶାଖା କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରି ନିବେଶକଙ୍କୁ ଠକିଥିବା ଅଭିଯୋଗ ରହିଛି। ନିବେଶକଙ୍କ ଟଙ୍କାକୁ ଅନ୍ୟ କାର୍ଯ୍ୟ ଓ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିବା, ଆର୍ଥିକ ତଥ୍ୟରେ ହେରଫେର କରିବା ଏବଂ ଜମି କାରବାରରେ ଅନିୟମିତତା କରିଥିବା ନେଇ ମଧ୍ୟ ED ଅଭିଯୋଗ କରିଛି। ଓଡ଼ିଶା ପୁଲିସର EOW, CBI ଓ ଝାଡ଼ଖଣ୍ଡ ACB ପକ୍ଷରୁ ଦାଖଲ ଏକାଧିକ FIR ଓ ଚାର୍ଜଶିଟ୍ ଆଧାରରେ ED ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories