‘କେରଳ’ ନାମ ହେବ ‘କେରଳମ’! ଲୋକସଭାରେ ପାରିତ ହେଲା ରାଜ୍ୟର ନାମ ପରିବର୍ତ୍ତନ ବିଲ୍
ନୂଆଦିଲ୍ଲୀ: କେରଳର ନାମ ପରିବର୍ତ୍ତନ ନେଇ ଆସିଥିବା ‘କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬’ ଲୋକସଭାରେ ପାରିତ ହୋଇଛି। ଏହି ବିଲ୍ ଲାଗୁ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ନାମ ଆଧିକାରିକ ଭାବେ ‘କେରଳମ’ ହେବ। ନାମ ପରିବର୍ତ୍ତନ ପାଇଁ ଆବଶ୍ୟକ ସାମ୍ବିଧାନିକ ଓ ଆଇନଗତ ସଂଶୋଧନର ବ୍ୟବସ୍ଥା ମଧ୍ୟ ଏହି ବିଲ୍ରେ ରହିଛି।
କେରଳ ବିଧାନସଭା ୨୦୨୪ ମସିହା ଜୁନ୍ରେ ରାଜ୍ୟର ନାମ ‘କେରଳମ’ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଇଥିଲା। ଏହାର ଆଧାରରେ କେନ୍ଦ୍ର ସରକାର ନାମ ପରିବର୍ତ୍ତନ ପାଇଁ ବିଲ୍ ଆଣିଛନ୍ତି। ଲୋକସଭାରେ ବିଲ୍ଟି ଉପସ୍ଥାପନ କରି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ‘ନିତ୍ୟାନନ୍ଦ ରାୟ’ କହିଥିଲେ ଯେ, ରାଜ୍ୟର ନାମ ପରିବର୍ତ୍ତନ ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ସାମ୍ବିଧାନିକ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ କରାଯିବ।
ବିଲ୍ ପାରିତ ହେବା ପରେ ଏବେ ପରବର୍ତ୍ତୀ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାଯିବ। ଏହି ନାମ ପରିବର୍ତ୍ତନ କାର୍ଯ୍ୟକାରୀ ହେଲେ ସରକାରୀ ଦସ୍ତାବିଜ, ଆଇନ ଓ ସମ୍ପୃକ୍ତ ସରକାରୀ ରେକର୍ଡରେ ‘କେରଳ’ ବଦଳରେ ‘କେରଳମ’ ନାମ ବ୍ୟବହାର ହେବ। ରାଜ୍ୟର ମୂଳ ଭାଷାଗତ ଓ ସାଂସ୍କୃତିକ ପରିଚୟକୁ ଅଧିକ ପ୍ରତିଫଳିତ କରିବା ଏହି ନାମ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

