କ୍ରିକେଟ୍ ପରେ ଟିଭି ପରଦାରେ ରୋହିତ ଶର୍ମା, ଆସୁଛି ‘ଦ ରୋହିତ ଶର୍ମା ଶୋ’!
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହିଟ୍ମ୍ୟାନ୍ ରୋହିତ ଶର୍ମା ଏବେ ମଇଦାନ ପରେ ଟିଭି ପରଦାରେ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଟେଷ୍ଟ ଓ ଟି-୨୦ କ୍ରିକେଟ୍ରୁ ଅବସର ନେଇସାରିଥିବା ରୋହିତ ଖୁବ୍ଶୀଘ୍ର ‘ଦ ରୋହିତ ଶର୍ମା ଶୋ’ ଜରିଆରେ ମନୋରଞ୍ଜନ ଜଗତରେ ପାଦ ରଖିବେ। ସୋନି ଟିଭି ନେଟୱାର୍କ ପକ୍ଷରୁ ଶୋ’ର ନୂଆ ଟିଜର୍ ଜାରି ହୋଇଛି। ଏଥିରେ ରୋହିତ କ୍ୟାମେରାମ୍ୟାନ୍ ଓ କ୍ରୁ ସଦସ୍ୟଙ୍କୁ ମଜାଳିଆ ଢଙ୍ଗରେ ପରାମର୍ଶ ଦେଉଥିବା ଦେଖାଯାଇଛି।
ଶୋ’ର ବିଷୟବସ୍ତୁ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ସାମ୍ନାକୁ ଆସିନାହିଁ। ତେବେ ରୋହିତ ଶର୍ମା ନିଜେ ଏହାର ହୋଷ୍ଟ ଭାବେ ନଜର ଆସିବେ ବୋଲି ଜଣାପଡ଼ିଛି। ସୋନି ପିକଚର୍ସ ନେଟୱାର୍କସ୍ ଇଣ୍ଡିଆର ସିଇଓ ଗୌରବ ବାନାର୍ଜୀ ମଧ୍ୟ ରୋହିତ ଶୋ’ର ଆଙ୍କରିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଶୋ’ରେ କମେଡି ଓ ମନୋରଞ୍ଜନ ସହ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ରହିବା ନେଇ ଚର୍ଚ୍ଚା ହେଉଛି। ମେ’ ମାସରେ ଜାରି ହୋଇଥିବା ପ୍ରଥମ ପ୍ରୋମୋରେ ରୋହିତଙ୍କ ‘ଗାର୍ଡେନ୍ ମେଁ ଘୁମନେ’ ଡାଏଲଗ୍କୁ ନେଇ ମଜାଳିଆ ଝଲକ ଦେଖିବାକୁ ମିଳିଥିଲା।
ରୋହିତ ଶର୍ମା ୨୦୨୪ ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ଏହାପରେ ୨୦୨୫ ମେ’ରେ ସେ ଟେଷ୍ଟ କ୍ରିକେଟ୍କୁ ମଧ୍ୟ ବିଦାୟ ଦେଇଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟ୍ରେ ସକ୍ରିୟ ଅଛନ୍ତି। ମଇଦାନରେ ନିଜ ବ୍ୟାଟିଂ ପାଇଁ ପ୍ରଶଂସକଙ୍କ ମନ ଜିତିଥିବା ରୋହିତ ଏବେ ଟିଭି ପରଦାରେ କେତେ ମନୋରଞ୍ଜନ ଦେଇପାରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

