ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍ ତଳକୁ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା! ଗଞ୍ଜେଇ ସେବନ କରିଥିଲେ ପାଇଲଟ!
ନୂଆଦିଲ୍ଲୀ: ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI2379 ବିମାନ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିଲା। ଏହି ଘଟଣାରେ ୪ ଜଣ କ୍ରୁ ସଦସ୍ୟଙ୍କ ସମେତ ୧୭ ଜଣ ଆହତ ହୋଇଥିଲେ। ଘଟଣା ପରେ ଉଭୟ ପାଇଲଟଙ୍କ ଡୋପ୍ ଟେଷ୍ଟ କରାଯାଇଥିବାବେଳେ, ପାଇଲଟ୍-ଇନ୍-କମାଣ୍ଡଙ୍କ ନମୁନାର ଦ୍ୱିତୀୟ ପରୀକ୍ଷାରେ ମାରିଜୁଆନା ବା ଗଞ୍ଜେଇ ସେବନର ଚିହ୍ନ ମିଳିଥିବା ସୂଚନା ମିଳିଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି।
ଏୟାରବସ୍ A320ରେ ୨ ପାଇଲଟ, ୬ କ୍ରୁ ସଦସ୍ୟ ଏବଂ ୧୩୭ ଯାତ୍ରୀ ଥିଲେ। ପ୍ରାୟ ୫ ମିନିଟ୍ ଧରି ଟର୍ବୁଲାନ୍ସ ଅନୁଭୂତ ହେବା ପରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଘଟଣାକୁ ଗମ୍ଭୀର ଭାବେ ନେଇଥିବାବେଳେ, ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେଶନ ବ୍ୟୁରୋ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ବିମାନର ଡାଟା ରେକର୍ଡର ଓ କକ୍ପିଟ୍ ଭଏସ୍ ରେକର୍ଡରକୁ ମଧ୍ୟ ଯାଞ୍ଚ ପାଇଁ ସୁରକ୍ଷିତ ରଖାଯାଇଛି।
ଏହି ଘଟଣା ପରେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଏବଂ ବରିଷ୍ଠ ଅଧିକାରୀମାନେ ବିମାନ ଚଳାଚଳ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତ ଚାଲିଥିବାରୁ ପାଇଲଟଙ୍କ ଡୋପ୍ ଟେଷ୍ଟ ରିପୋର୍ଟ ସମେତ ବିମାନର ଟେକ୍ନିକାଲ୍ ତଥ୍ୟ ଯାଞ୍ଚ କରାଯାଉଛି। ତେଣୁ ଘଟଣାର ପ୍ରକୃତ କାରଣ ଏବଂ ପାଇଲଟଙ୍କ ଡୋପ୍ ଟେଷ୍ଟ ରିପୋର୍ଟର ପ୍ରଭାବ ସମ୍ପର୍କରେ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

