ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ମାମଲାରେ ଆଜି ଆସିବ ବଡ଼ ରିପୋର୍ଟ! ସଂସଦରେ ଉପସ୍ଥାପିତ ହେବ ତଦନ୍ତ ରିପୋର୍ଟ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଜି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ମାମଲାକୁ ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ତାଙ୍କ ସରକାରୀ ଆବାସରୁ କଥିତ ଭାବେ ଜଳିଥିବା ନଗଦ ଟଙ୍କା ମିଳିବା ଘଟଣାର ତଦନ୍ତ କରିଥିବା ତିନି ସଦସ୍ୟ ବିଶିଷ୍ଟ କମିଟିର ରିପୋର୍ଟ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ କରାଯିବ । ମାର୍ଚ୍ଚ ୨୦୨୫ରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ପରେ ଷ୍ଟୋର ରୁମ୍ରୁ ଜଳିଥିବା ନୋଟ୍ ମିଳିଥିବା ଅଭିଯୋଗ ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। କମିଟି ଦଲିଲ, ପ୍ରମାଣ ଓ ସାକ୍ଷ୍ୟ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିଛି।
ରିପୋର୍ଟ ସଂସଦରେ ଉପସ୍ଥାପିତ ହେବା ପରେ ମାମଲା ନୂଆ ମୋଡ଼ ନେଇପାରେ। ଏପ୍ରିଲ ୯, ୨୦୨୬ରେ ଜଷ୍ଟିସ୍ ବର୍ମା ଇସ୍ତଫା ଦେଇଥିବା ବେଳେ ତାହା ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଗ୍ରହଣ କରିନଥିବା ରିପୋର୍ଟ ରହିଛି। ଏହା ସତ୍ତ୍ୱେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଗକୁ ବଢ଼ିପାରିବ କି ନାହିଁ, ତାହା ନେଇ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ୨୦୦ରୁ ଅଧିକ ସାଂସଦ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ପାଇଁ ଦାବି କରିଥିବା କୁହାଯାଉଛି।
ଅନ୍ୟପଟେ, ମୌସୁମୀ ଅଧିବେଶନରେ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ସରକାର ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ଜାରି ରହିଛି। ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜବାବକୁ ନେଇ ମଧ୍ୟ ନଜର ରହିଛି। ସେହିପରି ଏଫସିଆରଏ ବିଲ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଆଜି ସଂସଦରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ତଦନ୍ତ ରିପୋର୍ଟରେ କ’ଣ ରହିଛି ଏବଂ ଏହା ପରେ ମାମଲା କେଉଁ ଦିଗକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

