ମଦ ପିଇ ସ୍ତ୍ରୀଙ୍କ ସହ ଝଗଡ଼ା, ପ୍ରଥମ ସ୍ତ୍ରୀର କାଠଫାଳିଆ ମାଡ଼ରେ ସ୍ୱାମୀ ମୃତ; ଦ୍ୱିତୀୟ ସ୍ତ୍ରୀ ଗିରଫ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ମୁଣ୍ଡା ସାହିରେ ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ୱାମୀ ଆନନ୍ଦ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ଘଟଣାରେ ମୃତକଙ୍କ ଦ୍ୱିତୀୟ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ଘରକୁ ଆସିବା ପରେ ସ୍ତ୍ରୀ ଯାତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହି ସମୟରେ ଯାତ୍ରୀ ରାଗିଯାଇ ଏକ କାଠଫାଳିଆରେ ଆନନ୍ଦଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଘଟଗାଁ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ସବ୍-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ମୃତଦେହର ପୋଷ୍ଟମର୍ଟମ କରାଯାଇଛି। ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଯାତ୍ରୀ ମୁଣ୍ଡାଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

