Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଗଦ ଟଙ୍କା ମାମଲାରେ ଯଶବନ୍ତ ବର୍ମା ଦୋଷୀ! ଘରୁ ମିଳିଥିବା ଟଙ୍କାର ହିସାବ ଦେଇପାରିଲେନି ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ମାମଲାରେ ସଂସଦୀୟ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ ଦେଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ଗଠିତ କମିଟି ରିପୋର୍ଟରେ ଯଶବନ୍ତ ବର୍ମାଙ୍କୁ ମାମଲାରେ ଦୋଷୀ ବୋଲି ଦର୍ଶାଯାଇଛି। ତାଙ୍କ ଘରର ଏକ ଷ୍ଟୋରରୁମ୍‌ରୁ ମିଳିଥିବା ବିପୁଳ ପରିମାଣର ପୋଡ଼ା ୫୦୦ ଟଙ୍କିଆ ନୋଟ୍‌ର ଉତ୍ସ, ମାଲିକାନା ଓ ସେଠାରେ ଟଙ୍କା କିପରି ପହଞ୍ଚିଲା, ସେନେଇ ବର୍ମା ସନ୍ତୋଷଜନକ ଉତ୍ତର ଦେଇପାରିନଥିବା କମିଟି କହିଛି।

୨୦୨୫ ମାର୍ଚ୍ଚ ୧୪ ରାତିରେ ନୂଆଦିଲ୍ଲୀର ତୁଘଲକ୍ କ୍ରେସେଣ୍ଟସ୍ଥିତ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ସମୟରେ ଅଗ୍ନିଶମ କର୍ମଚାରୀମାନେ ଷ୍ଟୋରରୁମ୍‌ରେ ବହୁ ପରିମାଣର ପୋଡ଼ା ନଗଦ ଟଙ୍କା ଦେଖିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ସଂସଦୀୟ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟରେ କୁହାଯାଇଛି ଯେ, ଘଟଣାସ୍ଥଳରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଠିକ୍ ଭାବରେ ସୁରକ୍ଷିତ କିମ୍ବା ସଂରକ୍ଷିତ କରାଯାଇନଥିଲା। ଷ୍ଟୋରରୁମ୍‌କୁ ଆଇନଗତ ଭାବେ ସିଲ୍‌ କରାଯିବା ପୂର୍ବରୁ ଏହାର ଅବସ୍ଥାରେ ପରିବର୍ତ୍ତନ ହୋଇଥିଲା। ପରେ ନଗଦ ଟଙ୍କା ନିଖୋଜ ହେବା ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଛି। ତେବେ ବର୍ମା ନିଜେ ଟଙ୍କା ହଟାଇଥିବାର ପ୍ରମାଣ ମିଳିନଥିବା କମିଟି ସ୍ପଷ୍ଟ କରିଛି।

ଏହି ମାମଲାରେ ପୂର୍ବରୁ ତତ୍କାଳୀନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଇନ୍-ହାଉସ୍ କମିଟି ମଧ୍ୟ ଷ୍ଟୋରରୁମ୍‌ ଉପରେ ଯଶବନ୍ତ ବର୍ମାଙ୍କର ‘ସକ୍ରିୟ କିମ୍ବା ପରୋକ୍ଷ ନିୟନ୍ତ୍ରଣ’ ଥିବା କହିଥିଲା। ବିବାଦ ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ତାଙ୍କ ମୂଳ ହାଇକୋର୍ଟ ଆଲ୍ଲାହାବାଦ ହାଇକୋର୍ଟକୁ ପଠାଯାଇଥିଲା। ପରେ ସଂସଦରେ ତାଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଯଶବନ୍ତ ବର୍ମା ଇସ୍ତଫା ଦେଇସାରିଥିବାରୁ ତାଙ୍କ ବିରୋଧରେ ଚାଲିଥିବା ହଟାଇବା ପ୍ରକ୍ରିୟାର ଆଉ ବ୍ୟବହାରିକ ପ୍ରଭାବ ରହିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories