Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ଦିନରେ ୩ ବିମାନରେ ବିଭ୍ରାଟ: କେଉଁଠି ଏସି ବନ୍ଦ, ତ କେଉଁଠି ଟେକ୍ନିକାଲ୍ ତ୍ରୁଟି; ଆଉ ଏକ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବିମାନ ଯାତ୍ରାକୁ ନେଇ ଗୋଟିଏ ଦିନରେ ତିନିଟି ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ସ୍ପାଇସ୍‌ଜେଟ୍‌ ଓ ଇଣ୍ଡିଗୋ ବିମାନରେ ଟେକ୍ନିକାଲ୍‌ ସମସ୍ୟା ଓ ଅନ୍ୟାନ୍ୟ ବିଭ୍ରାଟ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । କୋଲକାତାରୁ ଚେନ୍ନାଇ ଯିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର IX1254 ବିମାନରେ ଟେକ୍ନିକାଲ୍‌ ସମସ୍ୟା ଦେଖାଦେବାରୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା। ବୋର୍ଡିଂ ପାସ୍‌ ମିଳିସାରିବା ପରେ ଯାତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଯାତ୍ରୀମାନେ କୋଲକାତା ବିମାନବନ୍ଦରରେ ପ୍ରତିବାଦ କରିଥିଲେ।

ଏହିପରି ଦିଲ୍ଲୀରୁ ପୁଣେ ଯାଉଥିବା ସ୍ପାଇସ୍‌ଜେଟ୍‌ର SG 105 ବିମାନରେ ମଧ୍ୟ ଯାତ୍ରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନରେ ଭେଣ୍ଟିଲେସନ୍‌ ନଥିବା ଏବଂ ଏସି କାମ କରୁନଥିବାରୁ କ୍ୟାବିନ୍‌ ଭିତରେ ଗରମ ବଢ଼ିଯାଇଥିବା ଜଣେ ଯାତ୍ରୀ ଅଭିଯୋଗ କରିଥିଲେ। ଗରମରେ ଯାତ୍ରୀମାନେ ଅସହାୟ ହୋଇପଡ଼ିଥିବା ବେଳେ ପିଲାମାନେ କାନ୍ଦିବା ସହ ଗର୍ଭବତୀ ମହିଳାମାନେ ମଧ୍ୟ ଅସୁବିଧା ଭୋଗିଥିବା କୁହାଯାଇଛି। ପରେ ଯାତ୍ରୀମାନେ ରନୱେରେ ପ୍ରତିବାଦ କରିଥିଲେ। ଏହାପରେ ସ୍ପାଇସ୍‌ଜେଟ୍‌ର ଟେକ୍ନିକାଲ୍‌ ଟିମ୍‌ ବିମାନ ଯାଞ୍ଚ କରି ଏହା ଉଡ଼ାଣ ପାଇଁ ଉପଯୁକ୍ତ ନଥିବା ନିଶ୍ଚିତ କରିଥିଲା। ପରେ ଯାତ୍ରୀଙ୍କୁ ଟର୍ମିନାଲ୍‌କୁ ଫେରାଇ ନିଆଯାଇ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା। ସ୍ପାଇସ୍‌ଜେଟ୍‌ ପକ୍ଷରୁ ଏହାକୁ ଶେଷ ମୁହୂର୍ତ୍ତର ଟେକ୍ନିକାଲ୍‌ ସମସ୍ୟା ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, କୋଲକାତାରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର 6E-723 ବିମାନ ଚେନ୍ନାଇ ନିକଟରେ ପହଞ୍ଚିବା ସମୟରେ ବାମ ଇଞ୍ଜିନ୍‌ରେ ସମସ୍ୟା ଦେଖାଦେଇଥିଲା। ଏହାପରେ ଚେନ୍ନାଇ ବିମାନବନ୍ଦରରେ ରାତି ୧୧ଟା ୨୯ ମିନିଟ୍‌ରେ ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିମାନରେ ୨୨୪ ଜଣ ଥିବା ବେଳେ ଏହା ରାତି ୧୧ଟା ୩୭ ମିନିଟ୍‌ରେ ରନୱେ ୨୫ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ୧୧ଟା ୪୭ ମିନିଟ୍‌ରେ ଜରୁରୀକାଳୀନ ପରିସ୍ଥିତି ହଟାଇ ଦିଆଯାଇଥିଲା। ତିନୋଟି ଘଟଣାରେ ଯାତ୍ରୀଙ୍କ ସୁରକ୍ଷା ଓ ବିମାନର ଟେକ୍ନିକାଲ୍‌ ଯାଞ୍ଚକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories