ଦୀର୍ଘ ସମୟ ମୁତୟନରେ ବଢ଼ୁଛି ଚାପ! USS ଆବ୍ରାହମ୍ ଲିଙ୍କନରେ ନୌସେନା କର୍ମଚାରୀଙ୍କ ମାନସିକ ସ୍ଥିତିକୁ ନେଇ ଚିନ୍ତା
ନୂଆଦିଲ୍ଲୀ: ଆମେରିକାର ଯୁଦ୍ଧଜାହାଜ USS ଆବ୍ରାହମ୍ ଲିଙ୍କନରେ ଦୀର୍ଘ ସମୟ ଧରି ମୁତୟନ ଥିବା କିଛି ନୌସେନା କର୍ମଚାରୀଙ୍କ ମାନସିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ରିପୋର୍ଟ ଅନୁସାରେ, କିଛି କର୍ମଚାରୀ ଜାହାଜରୁ ଡେଇଁବାକୁ ଚେଷ୍ଟା କରିଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ସମୟ ଧରି ପରିବାରଠାରୁ ଦୂରରେ ରହିବା, ମୁତୟନ ସମୟ ବାରମ୍ବାର ବଢ଼ିବା ଏବଂ ଯୁଦ୍ଧ ପରିସ୍ଥିତିର ଚାପ ଏହାର ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି। ଗତବର୍ଷ ନଭେମ୍ବରରୁ ଏହି ଯୁଦ୍ଧଜାହାଜରେ ୫,୦୦୦ରୁ ଅଧିକ ନୌସେନା ଓ ମେରାଇନ୍ସ କର୍ମଚାରୀ ମୁତୟନ ଅଛନ୍ତି।
ଏକ ଘଟଣାରେ ଆନାବେଲ୍ ଲୋମା ନାମକ ଜଣେ ମହିଳା ଦାବି କରିଛନ୍ତି ଯେ, ତାଙ୍କ ସ୍ୱାମୀ ଜାହାଜରୁ ଡେଇଁବାକୁ ଚେଷ୍ଟା କରିଥିଲେ। ମୁତୟନ ସମୟ ବାରମ୍ବାର ବଢ଼ାଯିବା ପରେ ସେ ମାନସିକ ଭାବେ ଚାପଗ୍ରସ୍ତ ହୋଇଥିବା ସେ କହିଛନ୍ତି। ଏବେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାରେ ଜଣେ ନୌସେନା କର୍ମଚାରୀ ନିଜ ସହକର୍ମୀଙ୍କୁ ଜାହାଜରୁ ଡେଇଁବା ପୂର୍ବରୁ ଅଟକାଇଥିବା ତାଙ୍କ ପତ୍ନୀ ମାରିଆ ରୋଡ୍ରିଗୁଏଜ୍ କହିଛନ୍ତି। ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ସୁରକ୍ଷିତ କରିଥିଲେ।
ଆବ୍ରାହମ୍ ଲିଙ୍କନର ମୁତୟନ ମେ’ ମାସରେ ଶେଷ ହେବାର ଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ କାର୍ଯ୍ୟକଳାପକୁ ସହାୟତା ପାଇଁ ଏହାର ମୁତୟନ ଜାରି ରହିଛି। ଏହାକୁ ନେଇ କର୍ମଚାରୀଙ୍କ ପରିବାର ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ନିକଟରେ ୨୦୦ରୁ ଅଧିକ ପରିବାର ସଦସ୍ୟ ସାନ୍ ଡିଏଗୋରେ ଆମେରିକୀୟ ନୌସେନାର ଅଧିକାରୀଙ୍କୁ ଭେଟି ଦୀର୍ଘ ମୁତୟନ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି ଘଟଣାଗୁଡ଼ିକ ଯୋଗୁଁ ଯୁଦ୍ଧଜାହାଜରେ ମୁତୟନ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି।

