କର୍ଣ୍ଣାଟକ ବିଧାନସଭା କ୍ୟାଣ୍ଟିନ୍ରେ ଚଢ଼ାଉ! ଖାଦ୍ୟ ଥାଳିରେ ବୁଲୁଥିଲା ଅସରପା, ସାମ୍ନାକୁ ଆସିଲା ସାଂଘାତିକ ଅବ୍ୟବସ୍ଥା
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପରିସରରେ ଥିବା ଏକ କ୍ୟାଣ୍ଟିନ୍ରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ପରେ ଖାଦ୍ୟର ମାନ ଓ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଯାଞ୍ଚ ସମୟରେ ଖାଦ୍ୟ ରଖାଯାଇଥିବା ଥାଳିରେ ଅସରପା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ବିଧାନସଭା ପରିସରରେ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବିଧାୟକମାନଙ୍କ ଯାତାୟାତ ରହୁଥିବାରୁ ଏହି ଘଟଣା ଚିନ୍ତା ବଢ଼ାଇଛି।
ସ୍ୱାସ୍ଥ୍ୟ ବିଭାଗର ଟିମ୍ ବିଧାନସଭା ପରିସର ସହ ବିକାଶ ସୌଧରେ ଥିବା କ୍ୟାଣ୍ଟିନ୍ଗୁଡ଼ିକରେ ମଧ୍ୟ ଯାଞ୍ଚ କରିଥିଲେ। ବିଧାୟକମାନେ ରହୁଥିବା ଲେଜିସ୍ଲେଟର୍ସ ହାଉସ୍ରେ ଥିବା ଏକ ଖାଦ୍ୟ ପ୍ରତିଷ୍ଠାନରେ ମଧ୍ୟ ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ଅନିୟମିତତା ମିଳିଥିଲା। ଏହି ଯାଞ୍ଚ ପରେ ସରକାରୀ କୋଠାଗୁଡ଼ିକରେ ଚାଲୁଥିବା କ୍ୟାଣ୍ଟିନ୍ଗୁଡ଼ିକର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ବଢ଼ାଯାଇଛି।
ଏହାର ଗୋଟିଏ ଦିନ ପୂର୍ବରୁ ଆରୋଗ୍ୟ ସୌଧରେ ଥିବା ସ୍ୱାସ୍ଥ୍ୟ ବିଭାଗର କ୍ୟାଣ୍ଟିନ୍ରେ ମଧ୍ୟ ଯାଞ୍ଚ କରାଯାଇଥିଲା। ସେଠାରେ କିଛି ଖାଦ୍ୟ ସାମଗ୍ରୀର ମିଆଦ ସରିଯାଇଥିବା ମିଳିଥିଲା। ଏଥିରେ ଇଡ୍ଲି ରାଭା ଓ ନଡ଼ିଆ ପାଉଡର୍ ଥିବା ଜଣାପଡ଼ିଛି। ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ସଂରକ୍ଷଣ କରାଯାଉନଥିବା ସହ କୀଟ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ହୋଇନଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ବର୍ତ୍ତମାନ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗର ଏଭଳି ଯାଞ୍ଚ ଜାରି ରହିଛି। ସମ୍ପ୍ରତି ୬୦ଟି ତିନି ଓ ପାଞ୍ଚ ତାରକା ହୋଟେଲ୍ରେ ଯାଞ୍ଚ କରାଯାଇ ୭୭ଟି ଖାଦ୍ୟ ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି।

