ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି! AI କହିବ କେଉଁଠି ଖାଲି ଅଛି ICU ଓ ୱାର୍ଡ ବେଡ୍, ନୂଆ ବ୍ୟବସ୍ଥା ଆଣିଲା ବିହାର
ପାଟନା: ଜରୁରୀ ସମୟରେ ହସ୍ପିଟାଲରେ ବେଡ୍ ମିଳିବ କି ନାହିଁ, ଏହାକୁ ନେଇ ରୋଗୀ ଓ ପରିବାରଲୋକଙ୍କ ଚିନ୍ତା ଏବେ କିଛି ମାତ୍ରାରେ କମିପାରେ। ବିହାର ସରକାର ହସ୍ପିଟାଲରେ ଖାଲି ଥିବା ICU, ୱାର୍ଡ ଓ ସାଧାରଣ ବେଡ୍ର ତଥ୍ୟ ରିଅଲ୍-ଟାଇମ୍ରେ ଦେଖାଇବା ପାଇଁ AI ଆଧାରିତ ବ୍ୟବସ୍ଥା ଆରମ୍ଭ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର ଏହି ସୂଚନା ଦେଇଛନ୍ତି।
ଏହି ବ୍ୟବସ୍ଥା ଅଧୀନରେ PMCH, NMCH, ଜିଲ୍ଲା ହସ୍ପିଟାଲ ଓ ଅନ୍ୟ ସରକାରୀ ହସ୍ପିଟାଲଗୁଡ଼ିକର ବେଡ୍ର ସ୍ଥିତି ଜଣାପଡ଼ିବ। କେଉଁ ହସ୍ପିଟାଲରେ କେତେ ବେଡ୍ ଖାଲି ଅଛି ଏବଂ କେଉଁଠି ବେଡ୍ ଉପଲବ୍ଧ ନାହିଁ, ତାହାର ତଥ୍ୟ ଏକାଠି କରି ସିଷ୍ଟମରେ ଦେଖାଯିବ। ଫଳରେ ଡାକ୍ତର ଓ ରୋଗୀଙ୍କୁ ହସ୍ପିଟାଲର ବେଡ୍ ସ୍ଥିତି ବିଷୟରେ ଶୀଘ୍ର ଜାଣିବାରେ ସହାୟତା ମିଳିବ।
ଜରୁରୀ ପରିସ୍ଥିତିରେ ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ ହୋଇପାରେ। ରୋଗୀଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ବେଡ୍ ଖୋଜି ନେବାରେ ଅନାବଶ୍ୟକ ସମୟ ନଷ୍ଟ ହେବନାହିଁ। ଏହା ସହ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଙ୍କ ଉପସ୍ଥାନ ଯାଞ୍ଚ, ଔଷଧ ବଣ୍ଟନର ନଜରଦାରି ଓ ତଥ୍ୟ ଏଣ୍ଟ୍ରି କାମକୁ ଶୀଘ୍ର କରିବା ପାଇଁ ମଧ୍ୟ AI ଟୁଲ୍ ବ୍ୟବହାର କରୁଛି। ସରକାରଙ୍କ ଲକ୍ଷ୍ୟ ହେଉଛି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ରୋଗୀଙ୍କ ପାଇଁ ସୁବିଧାଜନକ କରିବା।

