ଥାନେ ପରେ ବିଶାଖାପାଟଣାରେ ଗୁଗଲ୍ ଡାଟା ସେଣ୍ଟରକୁ ବିରୋଧ, ପରିବେଶ ଓ ଜଳ ସଙ୍କଟକୁ ନେଇ ଉଠିଲା ପ୍ରଶ୍ନ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରସ୍ତାବିତ ବିଶାଳ ଗୁଗଲ୍ ସମର୍ଥିତ ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ବିରୋଧ ଆରମ୍ଭ ହୋଇଛି। ପରିବେଶ କର୍ମୀମାନେ ପ୍ରକଳ୍ପର ପରିବେଶୀୟ ପ୍ରଭାବ, ଅତ୍ୟଧିକ ଜଳ ଓ ବିଦ୍ୟୁତ ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପକୁ ୨୦୨୫ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍ ଅନୁମୋଦନ କରିଥିଲା। ୫୦୦ରୁ ଅଧିକ ଏକର ଜମିରେ ତାର୍ଲୁଭାଡା, ଅଦାଭିଭାରମ-ମୁଦାସର୍ଲୋଭା ଓ ରମ୍ବିଲି ଅଞ୍ଚଳରେ ଏହା ନିର୍ମାଣ ହେବାର ଯୋଜନା ରହିଛି।
ପରିବେଶ କର୍ମୀ ସତ୍ୟନାରାୟଣ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ. ପବନ କଲ୍ୟାଣଙ୍କୁ ଚିଠି ଲେଖି ପ୍ରକଳ୍ପ ପାଇଁ ବ୍ୟାପକ ପରିବେଶୀୟ ପ୍ରଭାବ ଆକଳନ (EIA) ଆବଶ୍ୟକ କି ନାହିଁ ଏବଂ ନିର୍ମାଣ ପୂର୍ବରୁ ଆବଶ୍ୟକ ଅନୁମତି ନିଆଯାଇଛି କି ନାହିଁ, ସେନେଇ ସ୍ପଷ୍ଟତା ଦାବି କରିଛନ୍ତି। ପ୍ରକଳ୍ପ ପାଇଁ ଚିହ୍ନଟ ଅଞ୍ଚଳଗୁଡ଼ିକ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳ ସହ ଜଡ଼ିତ ଏବଂ କମ୍ବାଲାକୋଣ୍ଡା ବନ୍ୟଜନ୍ତୁ ଅଭୟାରଣ୍ୟର ବ୍ୟାପକ ପରିବେଶୀୟ ଅଞ୍ଚଳ ନିକଟରେ ଥିବା ସେ ଦାବି କରିଛନ୍ତି। ବିଶାଖାପାଟଣାର କିଛି ଅଞ୍ଚଳ ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଥିବାରୁ ଡାଟା ସେଣ୍ଟରର ବିପୁଳ ଜଳ ଆବଶ୍ୟକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

