Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତ୍ୟଧିକ ମୋବାଇଲ୍ ବ୍ୟବହାର ମହଙ୍ଗା ପଡିଲା ! ଅଭିନେତ୍ରୀଙ୍କ ବେକରେ ଗୁରୁତର ସମସ୍ୟା, କରିଲେ ୩ ଲକ୍ଷ ଟଙ୍କାର ସର୍ଜରୀ

ନୂଆଦିଲ୍ଲୀ: ମୋବାଇଲ୍‌ରେ ଅତ୍ୟଧିକ ସମୟ ବିତାଇବା ଏବେ ଅନେକଙ୍କ ପାଇଁ ଏକ ଅଭ୍ୟାସ ପାଲଟିଛି। ଏହାର କୁପରିଣାମର ଅନୁଭୂତି ହୋଇଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶକିଲାଙ୍କୁ। ତାଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ମୋବାଇଲ୍‌ରେ ଗେମ୍ ଖେଳିବା ଏବଂ ରିଲ୍ସ ଦେଖିବା ସମୟରେ ଭୁଲ୍ ପୋଷ୍ଚର୍‌ରେ ରହିବା ଯୋଗୁଁ ତାଙ୍କ ବେକରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ପରେ ଅବସ୍ଥା ଏତେ ବିଗିଡ଼ିଯାଇଥିଲା ଯେ, ତାଙ୍କୁ ବେକରେ ଅପରେସନ୍ କରାଇବାକୁ ପଡ଼ିଥିଲା। ଏହି ସର୍ଜରୀ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଶକିଲା ସୂଚନା ଦେଇଛନ୍ତି।

ଶକିଲା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ନିଜ ଅନୁଭୂତି କହିଛନ୍ତି। ତାଙ୍କ କହିବା ଅନୁସାରେ, ସେ ବିଛଣାରେ କଡ଼େଇ ହୋଇ ଶୋଇ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ମଝିରେ କେବଳ ଚା’ କିମ୍ବା କଫି ପିଇବା ପାଇଁ ଉଠୁଥିଲେ। ଏହାପରେ ୟୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଦୀର୍ଘ ସମୟ ଧରି ରିଲ୍ସ ଦେଖୁଥିଲେ। ଭୁଲ୍ ପୋଷ୍ଚର୍‌ରେ ଏଭଳି ଦୀର୍ଘ ସମୟ ଫୋନ୍ ବ୍ୟବହାର କରିବା ପରେ ତାଙ୍କ ବେକ ସମସ୍ୟା ଗୁରୁତର ହୋଇଥିବା ସେ କହିଛନ୍ତି। ସର୍ଜରୀ ପରେ ବେକରେ କଲାର ପିନ୍ଧିବା ସହ ବିଛଣାରୁ ଉଠିବା ଓ ଖାଇବା ଭଳି ସାଧାରଣ କାମ ପାଇଁ ମଧ୍ୟ ତାଙ୍କୁ ସହାୟତା ନେବାକୁ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।

ଏହି ଅନୁଭୂତି ପରେ ଶକିଲା ଲୋକଙ୍କୁ ମୋବାଇଲ୍ ବ୍ୟବହାର କମାଇବା ସହ ଠିକ୍ ପୋଷ୍ଚର୍‌ରେ ଫୋନ୍ ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି। ବିଶେଷକରି ପିଲାମାନେ ମୋବାଇଲ୍‌ରେ କେତେ ସମୟ ବିତାଉଛନ୍ତି, କେଉଁ ପ୍ରକାରର କଣ୍ଟେଣ୍ଟ ଦେଖୁଛନ୍ତି ଓ ଗେମିଂରେ କେତେ ସମୟ ଦେଉଛନ୍ତି, ତାହା ଉପରେ ଅଭିଭାବକମାନେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଦୀର୍ଘ ସମୟ ଏକେ ଅବସ୍ଥାରେ ରହିବା ପରିବର୍ତ୍ତେ ମଝିରେ ବିରତି ନେବା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ