Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଲକାତା ହସ୍ପିଟାଲରେ ୩୦ ବର୍ଷୀୟା ନର୍ସଙ୍କ ରହସ୍ୟଜନକ ମୃତ୍ୟୁ! ଟଏଲେଟ୍‌ କବାଟ ଭାଙ୍ଗି ଉଦ୍ଧାର ହେଲା ମୃତଦେହ

ପଶ୍ଚିମବଙ୍ଗ: କୋଲକାତାର ନିଲରତନ ସରକାର ମେଡିକାଲ କଲେଜ ଓ ହସ୍ପିଟାଲ୍‌ (NRS)ରେ ଜଣେ ୩୦ ବର୍ଷୀୟା ନର୍ସଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ନର୍ସଙ୍କ ପରିଚୟ ରୂପାଲି ବର୍ମନ୍‌ ବୋଲି ଜଣାପଡ଼ିଛି। ବୁଧବାର ରାତିରେ ହସ୍ପିଟାଲର ଗାଇନିକୋଲୋଜି ବିଭାଗର HDU ନିକଟସ୍ଥ ଟଏଲେଟ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୀର୍ଘ ସମୟ ଧରି କବାଟ ବନ୍ଦ ରହିବା ଏବଂ ଭିତରୁ କୌଣସି ଉତ୍ତର ନମିଳିବାରୁ ସହକର୍ମୀମାନେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା।

ସୂଚନା ଅନୁସାରେ, ରୂପାଲି ବୁଧବାର ରାତି ୮ଟାରୁ ଡ୍ୟୁଟିରେ ଥିଲେ। ରାତି ପ୍ରାୟ ୧୦ଟା ୨୦ରେ ସେ HDUର ଟଏଲେଟ୍‌କୁ ଯାଇଥିଲେ। କିଛି ସମୟ ପରେ ସେ ଫେରିନଥିବାରୁ ସହକର୍ମୀମାନେ ୧୦ଟା ୨୭ରେ ତାଙ୍କୁ ଡାକିଥିଲେ। ଭିତରୁ କୌଣସି ଉତ୍ତର ନମିଳିବାରୁ ସନ୍ଦେହ ବଢ଼ିଥିଲା। ଟଏଲେଟ୍‌ ବାହାରେ ଲାଗିଥିବା CCTVରେ ଘଟଣାକ୍ରମ କଏଦ ହୋଇଥିବା ଜଣାପଡ଼ିଛି ଏବଂ ପୁଲିସ ଫୁଟେଜ୍‌ ଜବତ କରି ଯାଞ୍ଚ କରୁଛି।

ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କୋଲକାତା ପୁଲିସର DD ହୋମିସାଇଡ୍‌ ବିଭାଗ ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଫରେନସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିବ। ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଯାଇଛି। ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆତ୍ମହତ୍ୟା ବୋଲି କୌଣସି ନିଷ୍କର୍ଷ ଦିଆଯାଇନାହିଁ। ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଘଟଣାର ପୃଥକ ତଦନ୍ତ ପାଇଁ ଏକ କମିଟି ଗଠନ କରିଛି ଏବଂ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ