‘ହଗ୍ ଡିପ୍ଲୋମାସି’କୁ ନେଇ ରାହୁଲଙ୍କ ତାତ୍ସଲ୍ୟ, ଇନ୍ଦିରା-କାଷ୍ଟ୍ରୋଙ୍କ ଫଟୋ ଦେଖାଇ ଜବାବ ଦେଲେ ନିଶିକାନ୍ତ ଦୁବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶୀ ନେତାଙ୍କୁ ଆଲିଙ୍ଗନ କରିବା ଶୈଳୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତାତ୍ସଲ୍ୟ ପରେ ରାଜନୈତିକ ବିବାଦ ଏବେ ତୀବ୍ର ହୋଇଛି। କଂଗ୍ରେସର ଏକ ଜାତୀୟ ସମ୍ମିଳନୀରେ ରାହୁଲ କହିଥିଲେ ଯେ, ବିଦେଶ ନୀତିକୁ ବିଶ୍ୱନେତାଙ୍କୁ ଆଲିଙ୍ଗନ କରିବା ସହ କାହିଁକି ଯୋଡ଼ାଯାଉଛି, ତାହା ସେ ବୁଝିପାରୁନାହାନ୍ତି। ନିଜ କଥା ବୁଝାଇବାକୁ ସେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ମଞ୍ଚରେ ଆଲିଙ୍ଗନ କରିଥିଲେ।
ରାହୁଲଙ୍କ ଏହି ମନ୍ତବ୍ୟର ଜବାବ ଦେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ କ୍ୟୁବାର ବିପ୍ଳବୀ ନେତା ଫିଦେଲ କାଷ୍ଟ୍ରୋ ଏବଂ ପାଲେଷ୍ଟାଇନ ନେତା ୟାସର ଆରାଫାତଙ୍କ ଫଟୋ ସେୟାର କରିଥିଲେ। ଏଥିସହ ଲୋକସଭାରେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲିଙ୍ଗନର ପୁରୁଣା ଫଟୋ ମଧ୍ୟ ପୋଷ୍ଟ କରି ସେ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି।
ଅନ୍ୟପକ୍ଷରେ, ରାହୁଲଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପି ସାଂସଦ ବାଂସୁରୀ ସ୍ୱରାଜ ଏବଂ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବନାଥୀ ଶ୍ରୀନିବାସନ ମଧ୍ୟ ସମାଲୋଚନା କରିଛନ୍ତି। ସେମାନେ ରାହୁଲଙ୍କ ମନ୍ତବ୍ୟକୁ ରାଜନୈତିକ ମର୍ଯ୍ୟାଦା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ମୋଦୀଙ୍କ ବିଦେଶ ନୀତି ଓ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଆହୁରି ତୀବ୍ର ହୋଇଛି।

