କରୁର ଷ୍ଟାମ୍ପିଡ୍ ମୃତକଙ୍କ ପରିବାରକୁ ଚାକିରି ଦେବା ମାମଲା: ବିଜୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି
ତାମିଲନାଡୁ: କରୁର ଷ୍ଟାମ୍ପିଡ୍ରେ ପ୍ରାଣ ହରାଇଥିବା ୪୧ ଜଣଙ୍କ ପରିବାରକୁ ସରକାରୀ ଚାକିରି ଦେବା ନିଷ୍ପତ୍ତିକୁ ନେଇ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ମାଦ୍ରାସ ହାଇକୋର୍ଟଙ୍କ ସେହି ଆଦେଶ ଉପରେ ରୋକ ଲଗାଇଛନ୍ତି, ଯେଉଁଥିରେ ବିଜୟ ସରକାରଙ୍କ ଚାକିରି ଦେବା ନିଷ୍ପତ୍ତିକୁ ରଦ୍ଦ କରାଯାଇଥିଲା। ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ତାମିଲନାଡୁର ମୁଖ୍ୟ ସଚିବ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ, ଯଦି ଏକ ଦୁର୍ଘଟଣାରେ ପରିବାରର ଏକମାତ୍ର ରୋଜଗାରକାରୀ ପ୍ରାଣ ହରାନ୍ତି, ତେବେ ତାଙ୍କ ପରିବାରକୁ ସହାୟତା ଦେବାରେ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କାହିଁକି ଉଠିବ। ଗତ ଜୁଲାଇ ୨୭ରେ ମାଦ୍ରାସ ହାଇକୋର୍ଟ ବିଜୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ବିଧାନର ଧାରା ୧୪ ଓ ୧୬ର ଉଲ୍ଲଂଘନ ଦର୍ଶାଇ ରଦ୍ଦ କରିଥିଲେ। ଏଭଳି ନିଷ୍ପତ୍ତି ଅନ୍ୟମାନଙ୍କୁ ମଧ୍ୟ ସରକାରୀ ଚାକିରି ଦାବି କରିବାର ସୁଯୋଗ ଦେବ ବୋଲି ହାଇକୋର୍ଟ ଆଶଙ୍କା ପ୍ରକାଶ କରିଥିଲେ।
ଗତବର୍ଷ ସେପ୍ଟେମ୍ବରରେ ବିଜୟଙ୍କ ନେତୃତ୍ୱାଧୀନ TVK ରାଲିରେ ଘଟିଥିବା ଷ୍ଟାମ୍ପିଡ୍ରେ ଶିଶୁଙ୍କ ସମେତ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା। ପୀଡ଼ିତ ପରିବାରକୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଜୁଲାଇରେ ମୁଖ୍ୟମନ୍ତ୍ରୀ ବିଜୟ ୩୨ ଜଣ ଆଇନଗତ ଉତ୍ତରାଧିକାରୀଙ୍କୁ ସହାନୁଭୂତିମୂଳକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ନିଯୁକ୍ତି ନିଷ୍ପତ୍ତି ନେଇ ପୀଡ଼ିତ ପରିବାରଙ୍କୁ ଆଶ୍ୱସ୍ତି ମିଳିଛି।

