Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍କିପୁରରେ ଦମଦାର ବିଜୟ ପରେ ପ୍ରଶାନ୍ତ କିଶୋରଙ୍କ ନଜର ସମ୍ରାଟଙ୍କ ଉପରେ, ବିଜେପି ପାଇଁ ହେବକି ବଡ ଚାଲେଞ୍ଜ ?

ବିହାର: ପାଟନାର ବାଙ୍କିପୁର ଉପନିର୍ବାଚନରେ ବଡ଼ ରାଜନୈତିକ ପରିବର୍ତ୍ତନ କରିଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ଦୀର୍ଘ ତିନି ଦଶନ୍ଧି ଧରି ବିଜେପିର ଗଡ଼ ଭାବେ ପରିଚିତ ବାଙ୍କିପୁର ଆସନରେ ସେ ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ପରାସ୍ତ କରି ଜନ ସୁରାଜକୁ ବିହାରରେ ପ୍ରଥମ ନିର୍ବାଚନୀ ବିଜୟ ଦେଇଛନ୍ତି। ଏହି ବିଜୟ ପରେ ପ୍ରଶାନ୍ତ କିଶୋର ଏବେ ସିଧାସଳଖ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରୁଥିବାରୁ ରାଜ୍ୟ ବିଜେପି ରାଜନୀତିରେ ଚର୍ଚ୍ଚା ବଢ଼ିଛି।

ବାଙ୍କିପୁର ଆସନ ବିଜେପିର ଏକ ଶକ୍ତିଶାଳୀ ଗଡ଼ ଭାବେ ପରିଚିତ ଥିଲା। ୧୯୯୫ ପରଠାରୁ ଏହି ଆସନରେ ବିଜେପି କିମ୍ବା ଏହାର ପୂର୍ବତନ ପ୍ରାର୍ଥୀମାନେ ଲଗାତାର ବିଜୟୀ ହୋଇଆସୁଥିଲେ। ବିଜେପି ସଭାପତି ନୀତିନ ନବୀନ ମଧ୍ୟ ଏଠାରୁ ପାଞ୍ଚଥର ନିର୍ବାଚିତ ହୋଇଥିଲେ। ତେବେ ସେ ବିଜେପିର ଜାତୀୟ ସଭାପତି ହେବା ପରେ ରାଜ୍ୟସଭାକୁ ଯିବାରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ପ୍ରାର୍ଥୀ ଚୟନକୁ ନେଇ ବିଜେପିକୁ ମଧ୍ୟ ଝଟକା ଲାଗିଥିଲା। ପ୍ରଥମ ପ୍ରାର୍ଥୀ ଅଭିଷେକ କୁମାର ସିହ୍ନା ନାମାଙ୍କନ ଦାଖଲ କରିବା ପରେ ପାରିବାରିକ କାରଣ ଦର୍ଶାଇ ଓହରିଯାଇଥିଲେ। ପରେ ଦଳ ୩୨ ବର୍ଷୀୟ ନୀରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା।

ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ବାଙ୍କିପୁର ଲଢ଼େଇକୁ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱର ଏକ ପରୀକ୍ଷା ବୋଲି କହିଥିଲେ। ବିଜୟ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ‘ଯୋଗ୍ୟ ଓ ଚରିତ୍ରବାନ’ ବ୍ୟକ୍ତିଙ୍କୁ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ୱାନ କରିଥିଲେ। ଏହାପରେ ସମ୍ରାଟଙ୍କ ରାଜନୈତିକ ଭୂମିକା ଓ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରାଜନୈତିକ ବିଶ୍ଳେଷକଙ୍କ ମତରେ, ଗୋଟିଏ ଉପନିର୍ବାଚନର ଫଳାଫଳକୁ ସମଗ୍ର ବିହାରର ରାଜନୈତିକ ମନୋଭାବର ପ୍ରତିଫଳନ ବୋଲି ଧରିନେବା ଏବେ ଠିକ୍ ହେବ ନାହିଁ। ବାଙ୍କିପୁରରେ ବିଜେପିର ପରାଜୟ ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଠାରୁ ଅଧିକ ଦଳର ଜାତୀୟ ସଭାପତି ନୀତିନ ନବୀନଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ମଧ୍ୟ ମତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories