ତ୍ରିରଙ୍ଗାରେ ରଙ୍ଗିଲା ଭୋପାଳର ଅପର ଲେକ୍, ବୋଟ୍ ‘ତିରଙ୍ଗା ଯାତ୍ରା’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ରଙ୍ଗରେ ରଙ୍ଗିଲା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ସହରର ବୋଟ୍ କ୍ଲବ୍ରେ ଅପର ଲେକ୍ରେ ବୋଟ୍ ‘ତିରଙ୍ଗା ଯାତ୍ରା’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗଦେଇ ଦେଶ ପ୍ରତି ଲୋକଙ୍କ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।
ତିରଙ୍ଗା ଯାତ୍ରା ସମୟରେ ଅପର ଲେକ୍ରେ ବହୁ ସଂଖ୍ୟାରେ ଜାତୀୟ ପତାକା ପ୍ରଦର୍ଶନ କରାଯାଇଥିଲା। ଦେଶପ୍ରେମ ଭରା ସଙ୍ଗୀତ, ବିଶେଷକରି ‘ମେରା ରଙ୍ଗ ଦେ ବସନ୍ତୀ ଚୋଲା’ ଭଳି ଗୀତ ପରିବେଶକୁ ଆହୁରି ଉତ୍ସବମୁଖର କରିଥିଲା। ତ୍ରିରଙ୍ଗାରେ ସଜିଥିବା ଡଙ୍ଗାଗୁଡ଼ିକ ହ୍ରଦରେ ଚାଲିବାର ଦୃଶ୍ୟ ଦେଖିବାକୁ ବୋଟ୍ କ୍ଲବ୍ରେ ଲୋକଙ୍କ ଭିଡ଼ ଜମିଥିଲା।
ଏହି ଅବସରରେ ଯୁବ କାୟାକର୍ ଓ କାନୋଇଷ୍ଟମାନେ ତିରଙ୍ଗା ଧରି କାନୋ ସ୍ଲାଲମ୍ ପ୍ରଦର୍ଶନ କରିଥିଲେ। ହ୍ରଦ ମଧ୍ୟଭାଗରେ ପ୍ରସ୍ତୁତ କରାଯାଇଥିବା ବିଶାଳ ଭାସମାନ ତିରଙ୍ଗା ମଧ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସ୍ୱାଧୀନତା ଦିବସ ପୂର୍ବରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମ ଭୋପାଳବାସୀଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜୀବିତ କରିଥିଲା।

