ପରୀକ୍ଷା ସୁଧାର ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି ସରକାର: ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରୀକ୍ଷା ବ୍ୟବସ୍ଥାରେ ସୁଧାରକୁ ନେଇ ସରକାରଙ୍କ ପଦକ୍ଷେପ ବିଷୟରେ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉନ୍ନତ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଥିବା ସେ କହିଛନ୍ତି।
ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି କହିଛନ୍ତି ଯେ, ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଜାତୀୟ ସ୍ୱାର୍ଥରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ‘ଅପରେସନ୍ ସିନ୍ଦୂର’ ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତା ଏବଂ ଆତଙ୍କବାଦୀ ନେଟୱର୍କ ବିରୋଧରେ ସଠିକ୍ ଆକ୍ରମଣ କରିବାର ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି ବୋଲି ସେ କହିଛନ୍ତି। ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକେ ଯେଉଁଠି ଲୁଚିଥିଲେ ମଧ୍ୟ ପରିଣାମ ଭୋଗିବେ ବୋଲି ରାଷ୍ଟ୍ରପତି ଦୃଢ଼ ବାର୍ତ୍ତା ଦେଇଛନ୍ତି।
ଏହା ସହ ନକ୍ସଲବାଦ ବିରୋଧରେ ଭାରତର ଲଢ଼େଇ ଏବଂ ବସ୍ତରରେ ଦ୍ରୁତ ବିକାଶକୁ ମଧ୍ୟ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ଏପଟେ ସ୍ୱାଧୀନତା ଦିବସ ୨୦୨୬ ପୂର୍ବ ସନ୍ଧ୍ୟାରେ ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଯବାନଙ୍କ ପାଇଁ ମୋଟ ୭୮ଟି ବୀରତ୍ୱ ପୁରସ୍କାରକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। ଏଥିରେ ୧୩ଟି ମରଣୋତ୍ତର ପୁରସ୍କାର ରହିଛି। ପୁରସ୍କାରଗୁଡ଼ିକ ମଧ୍ୟରେ ୯ଟି କୀର୍ତ୍ତି ଚକ୍ର, ୧ଟି ବାର୍-ଟୁ-ଶୌର୍ଯ୍ୟ ଚକ୍ର, ୧୯ଟି ଶୌର୍ଯ୍ୟ ଚକ୍ର, ୫ଟି ବାର୍-ଟୁ-ସେନା ମେଡାଲ୍, ୩୬ଟି ସେନା ମେଡାଲ୍, ୩ଟି ନୌସେନା ମେଡାଲ୍ ଏବଂ ୫ଟି ବାୟୁସେନା ମେଡାଲ୍ ସାମିଲ ଅଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାରଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ଜାରି କରାଯାଇଛି।

